ସ୍ୱିଡେନ୍ ସରକାରଙ୍କ ପରାମର୍ଶଦାତା ଭାବେ ଓଡ଼ିଆ ପୁଅ ପିକେ ମହାନନ୍ଦିଆ ନିଯୁକ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍ୱିଡେନ୍ ସରକାରଙ୍କ କଳା ବିଭାଗର ପରାମର୍ଶଦାତା ଭାବେ ବିଶିଷ୍ଟ ଓଡ଼ିଆ ଚିତ୍ରଶିଳ୍ପୀ ପିକେ ମହାନନ୍ଦିଆ ନିଯୁକ୍ତ ହୋଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ମହାନନ୍ଦିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ସଫଳତା ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛି, ଆଗାମୀ ଦିନରେ ସେ ଆହୁରି ଖ୍ୟାତି ଅର୍ଜନ କରନ୍ତୁୁ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ ଯେ ଅନୁଗୁଳ ଜିଲ୍ଲା କନ୍ଧପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମହାନନ୍ଦିଆ ସ୍କୁଲରେ ପାଠ ପଢ଼ିବାବେଳେ ଭେଦଭାବର ଶିକାର ହୋଇଥିଲେ। ତଥାପି ଶିକ୍ଷାଠାରୁ ଦୂରେଇ ଯାଇନଥିଲେ। ପାଠପଢ଼ା ସହିତ ତାଙ୍କର ଚିତ୍ରକଳା ପ୍ରତି ଦୁର୍ବଳତା ଥିଲା। ଏହି ଆଗ୍ରହରୁ ସେ ୧୯୭୧ ମସିହାରେ ଦିଲ୍ଲୀରେ ଏକ ଆର୍ଟ କଲେଜରେ ନାମ ଲେଖାଇଥିଲେ। ସ୍ୱିଡେନର ଚାରଲୋଟ ଭୋନ୍ ସଚେଡଭିନ ଦିଲ୍ଲୀ ଆସିଥିବାବେଳେ ଶ୍ରୀ ମହାନନ୍ଦିଆଙ୍କ ଚିତ୍ରକଳା ଉପରେ ତାଙ୍କର ନଜର ପଡ଼ିଥିଲା ଓ ସେ ମହାନନ୍ଦିଆଙ୍କ ପ୍ରେମରେ ପଡ଼ିଯାଇଥିଲେ। ଶେଷରେ ଉଭୟ ପ୍ରେମ ବିବାହ କରିଥିଲେ।

ବିବାହ ପରେ ଚାରଲୋଟ ସ୍ୱିଡେନ୍ ଫେରି ଯାଇଥିଲେ। ପରେ ୧୯୭୭ ମସିହାରେ ଶ୍ରୀ ମହାନନ୍ଦିଆ ତାଙ୍କର ସବୁ ଜିନିଷ ବିକ୍ରି କରି ଏକ ପୁରୁଣା ସାଇକେଲ କିଣିଥିଲେ। ଦୀର୍ଘ ୫ ମାସ କାଳ ସାଇକେଲ ଚଲାଇ ସେ ସ୍ୱିଡେନରେ ପହଞ୍ଚିଥିଲେ। ସେଠାରେ ସେ ସ୍ୱିଡେନର ନାଗରିକତ୍ୱ ଗ୍ରହଣ କରି ବସବାସ କରୁଛନ୍ତି।