ଆଜି ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,ଏନ୍‌ଏନ୍‌ଏସ୍‌:ହୀରାକୁଦ ଉପରମୁଣ୍ଡରେ ବର୍ଷା ହେବା ଯୋଗୁଁ ଜଳଭଣ୍ଡାରକୁ ଜଳର ପ୍ରବେଶ ମାତ୍ରା ମଧ୍ୟ ବୃଦ୍ଧି ପାଇଛି। ଜଳଭଣ୍ଡାରରେ ଜଳସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ପଦକ୍ଷେପ ସ୍ୱରୂପ ରବିବାର ପୂର୍ବାହ୍ନ ୧୧ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ସମୟ ଧାର୍ଯ୍ୟ ହୋଇଛି। ଏହାସହ ହୀରାକୁଦ ତଳମୁଣ୍ଡ ମହାନଦୀ ଅବବାହିକାରେ ଥିବା ସମ୍ବଲପୁର ସହିତ ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼, ବରଗଡ଼, କଟକ, ଫୁଲବାଣୀ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂପୁର, ପୁରୀ ଆଦି ସମସ୍ତ ୧୨ଟି ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଅଧୀକ୍ଷଣ ଯନ୍ତ୍ରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଏ ନେଇ ସତର୍କ ସୂଚନା ଦିଆଯାଇଛି।

ଏତଦ୍ ବ୍ୟତୀତ ନଦୀ ଉପରେ ନିର୍ଭରଶୀଳ ଜନସାଧାରଣଙ୍କୁ ମଧ୍ୟ ଏଦିଗରେ ସତର୍କ କରାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏହି ସମୟରେ ନଦୀ ଗର୍ଭକୁ ମତ୍ସଜୀବୀଙ୍କ ସମେତ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ବାରଣ କରାଯାଇଛି। ତେବେ ଜଳସ୍ତର କ୍ରମାଗତ ଭାବରେ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଡ୍ୟାମ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ। ହୀରାକୁଦ ଜଳଭଣ୍ଡାର ନିୟନ୍ତ୍ରଣ କକ୍ଷ ସୂତ୍ରରୁ ମିଳିଥିବା

ସୂଚନା ଅନୁଯାୟୀ ଶନିବାର ଅପରାହ୍ନ ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୦୮.୫୪ ଫୁଟରେ ପହଞ୍ଚିଛି। ତେବେ ଜଳଭଣ୍ଡାରକୁ ପ୍ରତି ଘଣ୍ଟାରେ ୬୫,୦୦୨ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ବିଦ୍ୟୁତ୍ ଉତ୍ପାଦନ ଓ ଚାଷ ପାଇଁ ବିଭିନ୍ନ କେନାଲ ଆଦି ଦେଇ ଘଣ୍ଟାପ୍ରତି ୨୦,୭୭୨ ଘନଫୁଟ ଜଳ ନିଷ୍କାସିତ ହେଉଛି। ସେହିପରି ଗତ ୨୪ ଘଣ୍ଟାରେ ଉପମୁଣ୍ଡରେ ୩.୪୨ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ତଳମୁଣ୍ଡରେ ୦୦.୬୮ ମିମି ବର୍ଷା ରେକର୍ଡ କରାଯାଇଛି।