ଝାରସୁଗୁଡ଼ାରୁ ମୁମ୍ବାଇ ଓ ବାଙ୍ଗଲୁରୁକୁ ଉଡ଼ିଲା ବିମାନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବହୁ ପ୍ରତିକ୍ଷୀତ ଝାରୁସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରକୁ ବିମାନ ସେବା ଆଜି ଆରମ୍ଭ ହୋଇଛି। ଝାରସୁଗୁଡ଼ା ବିମାନ ବନ୍ଦର ସହ ଆଜି ପ୍ରଥମ କରି ମୁମ୍ବାଇ ଓ ବାଙ୍ଗାଲୁରୁ ସିଧାସଳଖ ଭାବରେ ଯୋଡି ହୋଇଛି। ଫଳରେ ଏହି ଦିନକୁ ସ୍ମରଣୀୟ କରିବା ପାଇଁ ବିମାନବନ୍ଦର କର୍ତୃପକ୍ଷଙ୍କ ପକ୍ଷରୁ ଦୀପ ପ୍ରଜ୍ୱଳନ ସହ କେକ କାଟି ଖୁସି ବ୍ୟକ୍ତ କରାଯାଇଛି। ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବ, ତଲସରା ବିଧାୟକ ଭବାନୀ ଭୋଇ, ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ, ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧିକାରୀ ବିକାଶ ଚନ୍ଦ୍ର ଦାସ, ବିମାନବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ଓ ସ୍ଥାନୀୟ ଜନ ପ୍ରତିନଧୀ ଉପସ୍ଥିତ ଥିଲେ। ଝାରସୁଗୁଡ଼ା ବିମାନ ବନ୍ଦରକୁ ଉଡାଣ ସ୍କିମ ଅନ୍ତର୍ଗତ କେନ୍ଦ୍ର ସରକାର ୧୦୦ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ରାଜ୍ୟ ସରକାର ୧୦୦ କୋଟିରୁ ଉର୍ଦ୍ଧ ଟଙ୍କାର ଜମି ଯୋଗାଇ ଦେଉଛନ୍ତି। ଫଳରେ ଏହି ବିମାନବନ୍ଦର ଶୀଘ୍ର ଦେଶର କୋଣ ଅନୁକୋଣକୁ ଯୋଡ଼ି ହେବାସହ ଆଗାମୀ ଦିନରେ ଆର୍ନ୍ତଜାତୀୟ ବିମାନ ବନ୍ଦରରେ ପରିଣତ ହେବ ବୋଲି ଉପସ୍ଥିତ ମନ୍ତ୍ରୀ, ସାଂସଦ ଓ ବିଧାୟକ କହିଛନ୍ତି।

ଆଜି ମୁମ୍ବାଇରୁ ୭୩ ଜଣ ଯାତ୍ରୀଙ୍କୁ ନେଇ ସ୍ପାଇସ ଜେଟର ବୋଇଙ୍ଗ ୭୩୭ ବିମାନ ୧୦ଟା ୩୦ରେ ବାହାରି ୧୨ଟା ୩୦ରେ ଝାରସୁଗୁଡ଼ା ପହଞ୍ଚିଛି ଏବଂ ଝାରସୁଗୁଡ଼ାରୁ ୧୦୫ ଜଣ ଯାତ୍ରୀଙ୍କୁ ନେଇ ଅପରାହ୍ଣ ୧ଟାରେ ଝାରସୁଗୁଡ଼ାରୁ ବାହାରି ୩ଟା ୧୦ରେ ବାଙ୍ଗାଲୁରୁ ପହଞ୍ଚିଛି। ସେହିପରି ବାଙ୍ଗାଲୁରୁରୁ ଅପରାହ୍ଣ ୩ଟା ୪୫ରେ ୧୬୨ ଜଣ ଯାତ୍ରୀଙ୍କୁ ନେଇ ୫ଟା ୪୦ରେ ଝାରସୁଗୁଡ଼ା ପହଞ୍ଚିବି ଏବଂ ଝାରସୁଗୁଡ଼ାରୁ ସଂଧ୍ୟା ୬ଟା ୧୦ରେ ୯୫ ଜଣ ଯାତ୍ରୀଙ୍କୁ ନେଇ ୮ଟା ୩୫ରେ ମୁମ୍ବାଇ ପହଞ୍ଚିବ।