କୋରାପୁଟ-ବୋରିଗୁମ୍ମା ରାସ୍ତାରୁ ଡକାୟତି ଘଟଣାରେ ୫ ଗିରଫ

୭୨ ହଜାର ଟଙ୍କା ସହ ସୁନା, କାର୍ ଓ ବାଇକ୍ ଜବତ

କୋରାପୁଟ,ଏନ୍ଏନ୍ଏସ୍: ଗତମାସ ୨୮ ତାରିଖ ବିଳମ୍ବିତ ରାତିରେ କୋରାପୁଟ-ବୋରିଗୁମ୍ମା ଭାୟା ରାଣୀଗଡ଼ ରାସ୍ତାର ମୂଷାପୁଟ ବ୍ରିଜ୍‌ ନିକଟରେ ହୋଇଥିବା ଡକାୟତି ଘଟଣାରେ ଆଜି କୋରାପୁଟ ସଦର ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ ଗିରଫ କରିଛି। ଏନେଇ କୋରାପୁଟ ଟାଉନ୍ ଏସଡିପିଓ ଗୁଣନିଧି ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ା ଥାନା କେନ୍ଦୁଗୁଡ଼ା ଗ୍ରାମର ଦୈତାରୀ ଓରଫ୍ ଚନ୍ଦନ ଚାଲାଣ(୨୭), କୋରାପୁଟ ସଦର ଥାନା କୁସୁମଗୁଡାର ସହଦେବ ମୁଦୁଲି(୨୭), ରୁବେନ୍ ଖରା(୨୦), ବୁଟୁରୁଗୁଡାର ଘନ ଖରା(୨୫) ଓ କୋରାପୁଟ ଟାଉନ୍ ଥାନା ନାୟକ କଲୋନୀର ରାଜ କୁମାର ନାୟକ(୪୦)। ଗିରଫ ଡକାୟତମାନଙ୍କ ନିକଟରୁ ପୁଲିସ୍ ୩୦ ଗ୍ରାମ୍ ଓଜନର ୩ଟି ସୁନା ଚେନ୍, ନଗଦ ୭୨ ହଜାର ୮୦୦ଟଙ୍କା, ଏକ ମାରୁତି ୮୦୦ କାର୍(ଓଆର-୦୨ଏବି ୫୩୮୯), ଗୋଟିଏ ବାଇକ୍(ଆଆର-୧୦ଜି ୪୩୫୯), ୪ଟି ମୋବାଇଲ୍ ଫୋନ୍, ୨ଟି ଲୁହାଛଡ଼ ଓ ୨ଟି ଛୁରା ଜବତ କରିଛି।

ସୂଚନା ଅନୁଯାୟୀ ଏହି ଘଟଣାର ମାଷ୍ଟର ମାଇଣ୍ଡ ଚନ୍ଦନ ଚାଲାଣ ୨୮ତାରିଖ ଦିନ ସହଦେବ ମୁଦୁଲିକୁ ଡାକି ରାତିରେ ଏକ ଡକାୟତି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ଯୋଜନା ମୂତାବକ ସହଦେବ ଓ ଅନ୍ୟମାନେ କେନ୍ଦାର ଛକରେ ଏକତ୍ରିତ ହୋଇ ଯୋଜନା କରିଥିଲେ। ରାତି ପ୍ରାୟ ସାଢ଼େ ଗୋଟାଏରୁ ୨ଟା ମଧ୍ୟରେ କନ୍ୟାକୁ ନେଇ ଯାଉଥିବା ଏକ ଇନୋଭା କାର୍ ଆସିଥିଲା। ଉକ୍ତ ଗାଡିକୁ ଅଟକାଇ ଡକାୟତି ଦଳ ବିଭିନ୍ନ ମାରଣାସ୍ତ୍ର ଦେଖାଇ ନଗଦ ଦେଢ଼ଲକ୍ଷ ଟଙ୍କା, ୩ଟି ଚେନ୍, ୨ଟି ମଙ୍ଗଳସୂତ୍ର, ୨ଟି କାନଫୁଲ, ମୁଦି(ପ୍ରାୟ ୧୫ ତୋଳା ସୁନା) ନେଇ ପଳାଇ ଥିଲେ। ୨୯ ତାରିଖରେ ନବରଙ୍ଗପୁର ତେଲୁଗୁ ସାହିର ଜି ଚନ୍ଦ୍ର ଶେଖର ରାଓ ସଦର ଥାନାରେ ଅଭିଯୋଗ କରିଥିଲେ। ସଦର ପୁଲିସ୍ ବିଭିନ୍ନ ଧାରା (କେସ୍ ନଂ-୧୨୩/୨୯.୧୦.୨୦)ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବାବେଳେ ଉପରୋକ୍ତ ୫ ଜଣଙ୍କୁ ଗିରଫ କରିଥିବା ଏସଡିପିଓ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସଦର ଥାନା ଅଧିକାରୀ ସମର୍ପିତା ସ୍ୱାଇଁ ଉପସ୍ଥିତ ଥିଲେ।