କାବୁଲ ବିଶ୍ୱବିଦ୍ୟାଳୟରେ ଆତଙ୍କୀ ହାମଲା, ୧୯ ମୃତ

କାବୁଲ,ଏଜେନ୍ସି: ଆଫଗାନିସ୍ଥାନର କାବୁଲ ବିଶ୍ୱବିଦ୍ୟାଳୟରେ ଆଜି ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସୁରକ୍ଷାବାହିନୀର ଦୀର୍ଘ ଘଣ୍ଟାର ଅପରେସନ ପରେ ଏହି ଆକ୍ରମଣ ଶେଷ ହୋଇଛି।

ସୂଚନା ଅନୁସାରେ ଏହି ଆକ୍ରମଣରେ ୩ ଜଣ ସଂଶ୍ଳିଷ୍ଟ ଅଛନ୍ତି। ସେମାନଙ୍କ ମଧ୍ୟରେ ପ୍ରଥମେ ଜଣେ ନିଜ ବିସ୍ଫୋରକରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣଙ୍କୁ ସୁରକ୍ଷା ବାହିନୀ ଦ୍ୱାରା କାବୁ କରାଯାଇଛି। ତେବେ ଏହି ଘଟଣାରେ ମୃତ୍ୟୁ ହୋଇଥିବା ୧୯ ଜଣଙ୍କ ମଧ୍ୟରେ ଅଧିକାଂଶ ଉକ୍ତ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଅଟନ୍ତି ବୋଲି କାବୁଲ ପୁଲିସ ସୂଚନା ଦେଇଛି।

ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଏକ ଇରାନିଆନ ପୁସ୍ତକ ମେଳାର ଆୟୋଜନ ହୋଇଥିବା ବେଳେ ସରକାରୀ ଅଧିକାରୀ ପହଞ୍ଚିବା ପରେ ଆତଙ୍କୀମାନେ ଗୁଳିଚାଳନା କରିଥିଲେ। ଗୁଲି ଶବ୍ଦ ଶୁଣି ସେଠାରେ ଉପସ୍ଥିତ ଥିବା ଶତାଧିକ ଲୋକ ଓ ଛାତ୍ରଛାତ୍ରୀ କ୍ୟାମ୍ପସର କାନ୍ଥ ଡେଇଁ ପଳାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ପରେ ଆଫଗାନି ସୁରକ୍ଷା ବାହିନୀ ସେହି ସ୍ଥାନକୁ ଚର୍ତୁପାଶ୍ୱର୍ରୁ ଘେରିବା ସହ ବିଶ୍ୱବିଦ୍ୟାଳୟର ସମସ୍ତ ରାସ୍ତାକୁ କର୍ଡନ କରିଥିଲେ। ତେବେ ଦୀର୍ଘ ଘଣ୍ଟାପରେ ଆକ୍ରମଣକାରୀମାନଙ୍କୁ ଗିରଫ କରାଯାଇଥିଲେ ସୁଦ୍ଧା ଆତଙ୍କବାଦୀଙ୍କ ଆକ୍ରମଣରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ୨୨ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଅନ୍ୟପଟେ ତାଲିବାନ ଏହି ଘଟଣାରେ କହିଛି ଯେ ଏଥିରେ ତାଙ୍କର ହାତ ନାହିଁ। କେତେ ବର୍ଷ ହେବ ଶିକ୍ଷାନୁଷ୍ଠାନ ଗୁଡ଼ିକ ଉପରେ ଆଇଏସଆଇଏସ ଗ୍ରୁପ୍ ଦ୍ୱାରା ଆକ୍ରମଣ ହେଉଛି।