ଭୁଶୁଡ଼ିଲା ଫିଟନେସ୍ ପାର୍କ ପାଚେରି

  • ରାଉରକେଲା: ଅସରାଏ ବର୍ଷାରେ ଭୁଶୁଡ଼ିଲା ରାଉରକେଲା ମହାନଗର ନିଗମ (ଆରଏମସି) ସମ୍ମୁଖ ସୁବାସ ଚନ୍ଦ୍ର ବୋଷ ପାର୍କ (ଫିଟନେସ୍ ପାର୍କ) ପାଚେରି। ଗତକାଲି ରାତି ବର୍ଷାରେ ପାର୍କର ରିଂରୋଡ ପାର୍ଶ୍ୱର ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଧସିଯାଇଥିଲା। ଆଜି ସକାଳେ ହଠାତ ପାଚେରି ଭୁଶୁଡ଼ି ପଡ଼ିଥିଲା। ଏବେ ଅବଶିଷ୍ଟ ଭାଗ ପାଚେରି ବିପଦସଙ୍କୁଳ ସ୍ଥିତିରେ ରହିଛି। ପୁଣି ବର୍ଷା ହେଲେ ପାଚେରିଟି ସମ୍ପୂର୍ଣ୍ଣ ଭୂଷୁଡ଼ି ଯିବାର ସମ୍ଭାବନା ରହିଛି। ନିମ୍ନମାନର କାମ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି।
  • ସ୍ମାର୍ଟସିଟି ମିଶନ ଦ୍ୱାରା ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚରେ ପାର୍କର ସୌନ୍ଦର୍ଯ୍ୟକରଣ କରାଯାଇଛି। ଯେତେବେଳେ ପାର୍କର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହେଉଥିଲା ସେତେବେଳେ ପାଚେରିର ସ୍ଥିତି ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ନଜର କିପରି ପଡିଲା ନାହିଁ, ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ। ଯଦି ପାର୍କରେ ସୌନ୍ଦର୍ଯ୍ୟକରଣ, ଆଲୋକୀକରଣ ବାବଦରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି, ଏହାର ସୁରକ୍ଷା ପାଇଁ ପାଚେରି ମଧ୍ୟ ସେମିତି ସୁଦୃଢ଼ ହେବାର ଆବଶ୍ୟକତା ରହିଥିଲା। ଏଥିରୁ ସ୍ମାର୍ଟସିଟି ପ୍ରକଳ୍ପଗୁଡ଼ିକ କେମିତି ହେଉଛି? କାମ ନେଉଥିବା ଠିକା ସଂସ୍ଥାଗୁଡ଼ିକ କେମିତି କାମ କରୁଛନ୍ତି ସ୍ପଷ୍ଟ ବାରି ହୋଇପଡ଼ୁଛି।
  • ଉଲ୍ଲେଖଯୋଗ୍ୟ, ଗତ ୩/୪ ବର୍ଷ ତଳେ ଫିଟନେସ୍? ପାର୍କ ରାଉରକେଲା ଇସ୍ପାତ କାରଖାନା (ଆରଏସପି) ଅଧୀନରେ ରହିଥିଲା। ପାର୍କଟି କେବଳ ପାଚେରିରେ ସୀମିତ ଥିଲା। ପରବର୍ତ୍ତୀ ସମୟରେ ଆରଏସପି କର୍ତ୍ତୃପକ୍ଷ ପାର୍କଟିକୁ ରାଉରକେଲା ମହାନଗର ନିଗମ (ଆରଏମସି)କୁ ହସ୍ତାନ୍ତର କରିଥିଲେ। ଆରଏମସି ଅଧୀନକୁ ଆସିବା ପରେ ପାର୍କରେ ପାଥ୍ ୱେ ସମେତ କିଛି ବ୍ୟାୟାମ ଉପକରଣ ଲଗାଯାଇଥିଲା। ଗତ ପ୍ରାୟ ଦେଢ଼ ବର୍ଷ ତଳେ ସ୍ମାର୍ଟସିଟି ମିଶନ ୬ ଅତ୍ୟାଧୁନିକ ପାର୍କ ମଧ୍ୟରେ ଏହି ଫିଟନେସ୍ ପାର୍କ ସ୍ଥାନ ପାଇଥିଲା। ସ୍ମାର୍ଟସିଟି ପାର୍କର ସୌନ୍ଦର୍ଯ୍ୟକରଣ ଓ ଅନ୍ୟାନ୍ୟ ବାବଦରେ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି। ପାଚେରି ଭୁଷୁଡିବା ପରେ ଏବେ ପାର୍କଟି ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇ ପଡିଛି। ଭୁଶୁଡ଼ି ଯାଇଥିବା ପାଚେରି ନିର୍ମାଣ କରିବା ସହ ବଳକା ରହିଥିବା ପାଚେରିର ସ୍ଥିତି ଯାଞ୍ଚ କରିବାକୁ ସହରବାସୀଙ୍କ ପକ୍ଷରୁ ଦାବି ହେଉଛି।