ଦେଶରେ ଗଡ଼ିଲା ପ୍ରଥମ ଚାଳକ ବିହୀନ ମେଟ୍ରୋ ଟ୍ରେନ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ଦିଲ୍ଲୀ ମେଜେଣ୍ଟା ଲାଇନ‌ରେ ଦେଶର ପ୍ରଥମ ଚାଳକ ବିହୀନ ମେଟ୍ରୋ ଟ୍ରେନ ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି କି ଭାରତ କେତେ ଶୀଘ୍ର ସ୍ମାର୍ଟ ସିଷ୍ଟମ୍‌ ଆଡ଼କୁ ଅଗ୍ରସର ଏଥିରୁ ଜଣାପଡୁଛି। ଏବେ ଦିଲ୍ଲୀ ମେଟ୍ରୋ ‘ନ୍ୟାସ୍‌ନାଲ୍‌ କମନ୍‌ ମୋବିଲିଟି କାର୍ଡ’ରେ (ଏନସିଏମ‌ସି) ସଂଯୋଗ ହୋଇଛି। କିଛି ବର୍ଷ ପୂର୍ବେ ସ୍ମାର୍ଟ ସିଷ୍ଟମ୍‌ ଉପରେ ବିଶେଷ ଧ୍ୟାନ ଦିଆଯାଉ ନଥିଲା। ଏଥିପ୍ରତି ଆଗ୍ରହ ନଥିବା କାରଣରୁ ନଗରୀକରଣ ଏବଂ ବୈଷୟିକ ବିକାଶ ମଧ୍ୟରେ ବ୍ୟାପକ ତାରତମ୍ୟ ଥିଲା। ଆମ ସରକାର ତାହାକୁ ପରିବର୍ତ୍ତନ କରିଛି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି କି ଜୀବନଯାତ୍ରା ସୁଗମ କରିବା ନିମନ୍ତେ ନଗରୀକରଣକୁ ଏକ ସୁଯୋଗ ଭାବେ ବିଚାର କରାଯିବା ଉଚିତ। ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌ କହିବା ଅନୁସାରେ, ଏହି ସର୍ବାଧୁନିକ ଟ୍ରେନ୍‌ ସେବା ଆରମ୍ଭ ହେବା ସହ ବିଶ୍ୱରେ ଥିବା ୭% ଚାଳକ ବିହୀନ ମେଟ୍ରୋ ନେଟ୍‌ଓ୍ଵାର୍କରେ ‘ଡିଏମ‌ଆରସି’ ପ୍ରବେଶ କରିଛି। ସେହିଭଳି ‘ଏନସିଏମସି’ (ଓ୍ଵାନ୍‌ ନେସନ୍‌ ଓ୍ଵାନ୍‌ କାର୍ଡ) ଦ୍ୱାରା ବ୍ୟବହାରକାରୀ ବସ୍‌ ଯାତ୍ରା ଦେୟ, ଟୋଲ୍‌ ଟିକସ, ପାର୍କିଙ୍ଗ୍‌ ଦେୟ, ଖାଉଟି ସାମଗ୍ରୀ କିଣା ବାବଦ ଖର୍ଚ୍ଚ ଏବଂ ନଗଦ ଟଙ୍କା ମଧ୍ୟ ଉଠାଇ ପାରିବେ।