ଶ୍ରୀଲଙ୍କା-ବାଂଲାଦେଶ ପ୍ରଥମ ଟେଷ୍ଟ୍ ଡ୍ର’

ଚଟ୍ଟୋଗ୍ରାମ୍‌,ଏଜେନ୍ସି: ସମ୍ପ୍ରତି ବାଂଲାଦେଶରେ ଟେଷ୍ଟ୍ ସିରିଜ୍ ଖେଳୁଥିବା ଶ୍ରୀଲଙ୍କା ଏଠାରେ ଗୁରୁବାର ଶେଷ ହୋଇଥିବା ପ୍ରଥମ ଟେଷ୍ଟ୍‌କୁ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଆଞ୍ଜେଲୋ ମାଥ୍ୟୁସ୍‌ଙ୍କ ୧୯୯ ରନ୍‌ର ଇନିଂସ ସହାୟତାରେ ଶ୍ରୀଲଙ୍କା ୩୯୭ ରନ୍ କରିଥିଲା। ଏହାର ଜବାବରେ ଓପନର ତାମିମ୍ ଇକ୍‌ବାଲ୍ ଓ ମୁଶିଫିକର୍ ରହିମ୍‌ଙ୍କ ଶତକ ଜରିଆରେ ବାଂଲାଦେଶ ୪୬୫ ରନ୍ କରି ୬୮ ରନ୍‌ରେ ଆଗୁଆ ରହିଥିଲା।

ଶ୍ରୀଲଙ୍କା ମ୍ୟାଚ୍‌ର ଚତୁର୍ଥ ଦିନରେ ବୁଧବାର ତା’ର ଦ୍ୱିତୀୟ ଇନିଂସରେ ୨ଟି ୱିକେଟ୍ ହରାଇ ୩୯ ରନ୍ କରିଥିଲା। ଅନ୍ତିମ ଦିନରେ ଗୁରୁବାର ଶ୍ରୀଲଙ୍କା ଏହିଠାରୁ ଖେଳ ଆରମ୍ଭ କରି ୬ ୱିକେଟ୍ ବିନିମୟରେ ୨୬୦ ରନ୍ କରି ମ୍ୟାଚ୍‌କୁ ଡ୍ର’ ରଖିଛି। ଅପରାଜିତ ଓପନର ତଥା ଅଧିନାୟକ ଦିମୁଥ୍ କରୁଣାରତ୍ନେ ୫୨ ରନ୍ କରିଥିବା ବେଳେ ପ୍ରଥମ ଇନିଂସରେ ମାତ୍ର ୧ ରନ୍ ପାଇଁ ଦ୍ୱିଶତକରୁ ବଞ୍ଚିତ ହୋଇଥିବା ମାଥ୍ୟୁସ୍ ଖାତା ବି ଖୋଲିପାରି ନଥିଲେ। ୱିକେଟ୍‌କିପର୍‌-ବ୍ୟାଟ୍ସମ୍ୟାନ୍ ନିରୋଶନ୍ ଡିକୱେଲା ୬ଟି ଚୌକା ସହ ୬୧ ରନ୍ ଓ ଦୀନେଶ ଚାଣ୍ଡିମାଲ୍ ୪ଟି ଚୌକା ଓ ଗୋଟିଏ ଛକା ସହ ୩୯ ରନ୍ କରି ଅପରାଜିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ କୁସାଲ୍ ମେଣ୍ଡିସ୍ ୮ଟି ଚୌକା ଓ ଗୋଟିଏ ଛକା ସହ ୪୮ ଏବଂ ଧନଞ୍ଜୟ ଡି’ସିଲ୍‌ଭା ୩ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୩୩ ରନ୍ କରିଥିଲେ। ବାଂଲାଦେଶ ପକ୍ଷରୁ ତାଇଜୁଲ୍ ଇସଲାମ୍ ୪ଟି ଓ ସାକିବ୍‌-ଅଲ୍‌-ହସନ୍ ଗୋଟିଏ ୱିକେଟ୍ ନେଇଥିଲେ। ମାଥ୍ୟୁସ୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ସିରିଜ୍‌ର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ୍ ଆସନ୍ତା ୨୩ରୁ ଢାକାଠାରେ ଆରମ୍ଭ ହେବ।