ରଥଯାତ୍ରା ନେଇ ପ୍ରଥମ ସମନ୍ୱୟ ବୈଠକ, ଏଥର ଦୁଇଗୁଣା ଭକ୍ତ ଘୋଷଯାତ୍ରାରେ ହୋଇପାରନ୍ତି ସାମିଲ

ପୁରୀ,ଏନ୍ଏନ୍ଏସ୍: ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ପ୍ରଥମ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରଶାସନିକ ଅଧିକାରୀ, ଶ୍ରୀମନ୍ଦିର କାର୍ଯ୍ୟାଳୟର କର୍ମଚାରୀ, ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଓ ବିଭିନ୍ନ ନିଯୋଗର ସଦସ୍ୟ ଏଥିରେ ଉପସ୍ଥିତ ଥିଲେ।

କୋଭିଡ ପରିସ୍ଥିତିକୁ ଦୃଷ୍ଟିିରେ ରଖି ରଥଯାତ୍ରା ଅନୁଷ୍ଠିତ ହେବ। ରଥଯାତ୍ରାରେ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ୨ଟି କାର୍ଯ୍ୟପନ୍ଥା କରାଯାଇଛି। ପ୍ରଥମତଃ କୋଭିଡ ସଂକ୍ରମଣ ବଢିଲେ କଟକଣା ସହିତ ମହାପ୍ରଭୁଙ୍କ ରଥଯାତ୍ରାର ଆୟୋଜନ କରାଯିବ।

କୋଭିଡ ସଂକ୍ରମଣ ଯଦି ଠିକ ଭାବେ ରୁହେ ତେବେ ୨୦୧୯ ରଥଯାତ୍ରା ତୁଳନାରେ ଅଧିକ ଶ୍ରଦ୍ଧାଳୁଙ୍କ ପୁରୀ ଆଗମନ ହୋଇପାରେ। ଦେଢରୁ ଦୁଇଗୁଣା ଅର୍ଥା ପାଖାପାଖି ୧୨ରୁ ୧୫ ଲକ୍ଷ ଭକ୍ତ ଏଥର ଘୋଷଯାତ୍ରାରେ ସାମିଲ ହୋଇପାରନ୍ତି।

ତେଣୁ ଏତେ ସଂଖ୍ୟକ ଭକ୍ତ ଗହଳିକୁ ଆଖିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ପ୍ରଶାସନ ରଥଯାତ୍ରା ସମୟରେ କେବଳ ଦୁଇଟି ଡୋଜ ଟିକା ଓ ବୁଷ୍ଟର ଡୋଜ ନେଇଥିବା ଲୋକେ ପୁରୀ ଆସିବାକୁ ଆହ୍ୱାନ ଦେଇଛି।