ଦୁର୍ଗାପୂଜା ମଣ୍ଡପରେ ଆଖିବୁଜା ଗୁଳିମାଡ: ଜଣେ ମୃତ, ୩ ଗୁରୁତର

ଲକ୍ଷ୍ନୌ,ଏଜେନ୍ସି: ଦୁର୍ଗାପୂଜା ମଣ୍ଡପରେ ଆଖିବୁଜା ଗୁଳିମାଡ। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟି ଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ନାବାଳିକା ଥିବାବେଳେ ଜଣେ ଯୁବକ ଅଛନ୍ତି।

ଉତ୍ତର ପ୍ରଦେଶ ଅଯୋଧ୍ୟା ଅନ୍ତର୍ଗତ ଫଇଜାବାଦ କୋଟୱାଲି ଦୁର୍ଗାପୂଜା ଚାଲିଥିବା ସମୟରେ ଘଟିଛି ଏହି ଗୁଳିକାଣ୍ଡ। ଏସଏସପି ଶୈଲେଶ ପାଣ୍ଡେ ସୂଚନା ଅନୁସାରେ ରାତି ୧୦ଟା ସମୟରେ ୪ ଜଣ ଯୁବକ ବାଇକରେ ଆସି ପୂଜା ମଣ୍ଡପରେ ଆଖିବୁଜା ଗୁଳିମାଡ କରିଥିଲେ। ଏଥିରେ ପୂଜା ମଣ୍ଡପରେ ବସିଥିବା ମନଜିତ୍ ଯାଦବ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଥିସହ ତାଙ୍କ ନିକଟରେ ବସିଥିବା ଜଣେ ଯୁବକ ଏବଂ ୨ ଜଣ ନାବାଳିକା ଗୁରୁତର ଆହତ ହୋଇଛନ୍ତି।

ପୁଲିସ ଜଣଙ୍କୁ ଗିରଫ କରିବା ସହ ଗାଡି ଜବତ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଛି। ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୁଲିସ କହିଛି। ଏଥିପାଇଁ ୪ଟି ଟିମ୍ ଗଠନ କରି ତଦନ୍ତ କରୁଛି ପୁଲିସ।