ଦୁର୍ଘଟଣା ପରେ ଟ୍ରକରେ ଲାଗିଲା ନିଆଁ ଜୀଅନ୍ତା ଜଳିଗଲେ ଚାଳକ

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ବାହାଡାପଶି ଗ୍ରାମ ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥର ଅନତି ଦୂରରେ ଗୋପପୁର ପୋଲ ନିକଟରେ ଏକ ଲୁହା ପଥର ବୋଝେଇ ଟ୍ରକରେ ନିଆଁ ଲାଗି ଡ୍ରାଇଭରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଯିବା ଫଳରେ ଗାଡିରେ ନିଆଁ ଲାଗିଯାଇଥିଲା।

ସୂଚନା ଅନୁଯାୟୀ ଗତକାଲି ରାତ୍ରି ପ୍ରାୟ ସାଢେ ୧୦ଟା ସମୟରେ ଲୁହା ପଥର ବୋଝେଇ ଏକ ଟ୍ରକ (ଓଆର-୦୯କେ -୫୮୧୯) କେନ୍ଦୁଝରରୁ ଝାରସୁଗୁଡା ଅଭିମୁଖେ ଯାଉଥିଲା। ଏହି ସମୟରେ ବାହାଡାପଶି ଛକ ଠାରୁ ଅଳ୍ପ ଦୂରରେ ୪୯ନଂ ଜାତୀୟ ରାଜପଥର ପ୍ରଶସ୍ତି କରଣ କାର୍ଯ୍ୟଚାଲୁଥିବା ବେଳେ ପଥର ଗଦା ହୋଇଥିଲା। ସେଠାରେ କୌଣସି ସୂଚନା ଫଳକ ନଥିବାରୁ ଗାଡି ଚାଳକ ଏହା ଜାଣି ନପାରି ଉକ୍ତ ପଥରଗଦାରେ ଧକ୍କା ଦେଇ ରାସ୍ତା ତଳକୁ ଖସି ପଡିଥିଲା। ଫଳରେ ଗାଡିରେ ନିଆଁ ଲାଗି ଟ୍ରକଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା।

ଡ୍ରାଇଭର ଜଣଙ୍କ ଗାଡ଼ି ଭିତରୁ ବାହାରି ନପାରି ଜଳିଯାଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ବାରକୋଟ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମୃତ ଗାଡି ଚାଳକ ଜଣଙ୍କ ବାରକୋଟ ଥାନା ଅନ୍ତର୍ଗତ ସରୁଆଳି ଗ୍ରାମର ସିପୁନ ନାଏକ(୨୨) ବୋଲି ବାରକୋଟ ଥାନା ପୁଲିସ ସୂଚନା ଦେଇଛି। ମୃତ ଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ସହ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।