ନୂଆଦିଲ୍ଲୀ,ଏଜେନ୍ସି: କରୋନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ମନର କଥା କହି ଏହି ସଙ୍କଟ କାଳରେ ଧୈର୍ଯ୍ୟ ରଖିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଏହା ସହିତ ଭ୍ୟାକ୍ସିନକୁ ନେଇ କୌଣସି ମିଥ୍ୟା ପ୍ରଚାର ନ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହ ସେ କହିଛନ୍ତି କି, କରୋନାର ଦ୍ୱିତୀୟ ଲହର ଦେଶକୁ ଦୋହଲାଇ ଦେଇଛି। ଏନେଇ ଆମ ସମସ୍ତଙ୍କୁ ଭ୍ୟାକ୍ସିନ ନେବାକୁ ପଡିବ ଏବଂ ସାବଧାନତା ଅବଲମ୍ବନ କରିବାକୁ ପଡିବ। ‘ଦବାଇ ଭି କଡାଇ ଭି’ ମନ୍ତ୍ରକୁ କେବେ ବି ଭୁଲିବା କଥା ନୁହେଁ। ଖୁବ ଶୀଘ୍ର ଆମେ ସମସ୍ତେ ମିଶି ଏହି ବିପଦରୁ ବାହାରିବା ବୋଲି ମୋଦୀ ଦେଶବାସୀଙ୍କୁ କହିଛନ୍ତି।
ଗୋଟିଏ ପଟେ ଦେଶ ଡାକ୍ତରଖାନା, ଭେଣ୍ଟିଲେଟର ଓ ମେଡିସିନ ପାଇଁ କାମ କରୁଥିବାବେଳେ ଅନ୍ୟପଟେ କରୋନା ଆହ୍ୱାନର ମୁକାବିଲା କରୁଛନ୍ତି ଦେଶବାସୀ। ବର୍ତ୍ତମାନ ଗାଁରେ ମଧ୍ୟ ଅନେକ ସଚେତନତା ଦେଖିବାକୁ ମିଳିଛି। ବାହାରୁ ଆସୁଥିବା ସମସ୍ତଙ୍କୁ ଅନ୍ୟତ୍ର ରହିବାର ବ୍ୟବସ୍ଥା କରାଯାଇଛି। ଆଜି ଆମର ଡାକ୍ତରମାନେ ଓ ଆଗଧାଡିର ସ୍ୱାସ୍ଥ୍ୟକର୍ମୀ ଯେପରି ଦିନ ରାତି ଏକ କରି କାମ କରୁଛନ୍ତି ସେହିଭଳି ସମାଜର ଅନ୍ୟ ଲୋକମାନେ ମଧ୍ୟ ଏହି ସମୟରେ ପଛରେ ନାହାଁନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଦେଶ ପୁଣି ଥରେ ଏକଜୁଟ ହୋଇ କରୋନା ସହିତ ଲଢେଇ କରୁଛି।
ସେ ଆହୁରି କହିଛନ୍ତି, ଭାରତ ସରକାରଙ୍କ ପକ୍ଷରୁ ଦେଶରେ ଟିକାକରଣ କାର୍ଯ୍ୟ ଜାରି ରହିଛି। ଆଗକୁ ମଧ୍ୟ ଏହା ଚାଲିବ। ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ଯେ ଭାରତ ସରକାରଙ୍କ ଏହି ମାଗଣା ଟିକା ଅଭିଯାନ ରାଜ୍ୟରେ ଯଥା ସମ୍ଭବ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ। କରୋନାଙ୍କ ଏହି ସଙ୍କଟରେ ଟିକାକରଣର ଗୁରୁତ୍ୱ ସମସ୍ତଙ୍କୁ ବୁଝିବାକୁ ପଡିବ। ତେଣୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଏହି ଟିକାକୁ ନେଇ କୌଣସି ଗୁଜବ ପ୍ରଚାର କରାନଯାଉ।
ଏହି ଯୁଦ୍ଧରେ ଆମକୁ ବୈଜ୍ଞାନିକ ଓ ବିଶେଷଜ୍ଞଙ୍କ ପରାମର୍ଶକୁ ପ୍ରାଥମିକତା ଦେବାକୁ ପଡିବ। ଏନେଇ ନିକଟସ୍ଥ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ମୁଁ ଆଜି ଆପଣଙ୍କୁ ଏମିତି ଏକ ସମୟରେ ମନର କଥା କହୁଛି ଯେତେବେଳେ ମହାମାରୀ କରୋନା ଆମ ସମସ୍ତଙ୍କ ଧୈର୍ଯ୍ୟ ଓ ସହନଶୀଳତାର ପରୀକ୍ଷା ନେଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।