ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବିଟିଏମ ଅଞ୍ଚଳରେ ଥିବା ଏକ ଟେଣ୍ଟ ହାଉସରେ ଗତ ରବିବାର ବିଳମ୍ବିତ ରାତିରେ ନିଆଁ ଲାଗି ପ୍ରାୟ ୫୦ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଥିବା ସୂଚନା ମିଳିଛି। ମିଳିଥିବା ରିପୋର୍ଟ ମୁତାବିକ, ବିଟିଏମ ଅଞ୍ଚଳରେ ଥିବା ନକୁଳ ମେହରଙ୍କ ଟେଣ୍ଟ ହାଉସ ଗୋଦାମରେ ଗତକାଲି ରାତି ପ୍ରାୟ ୧ଟା ୩୦ରେ ନିଆଁ ଲାଗିଯାଇଥିଲା। ଏନେଇ ନକୁଳ ତାଙ୍କ ମିସ୍ତ୍ରୀଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ସେ ପହଞ୍ଚିବା ବେଳକୁ ଦୋକାନର ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇସାରିଥିବାବେଳେ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିବା ନକୁଳ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ତାଙ୍କ ଗୋଦାମ ନିକଟରେ ପେଟ୍ରୋଲ ବୋତଲ, କିରୋସିନ ବୋତଲ ଆଦି ପୋଡ଼ିଥିବାରୁ କେହି ଜାଣିଶୁଣି ଗୋଦାମରେ ନିଆଁ ଲଗାଇଥାଇ ପାରନ୍ତି। ତେଣୁ ପୁଲିସ ଏହି ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ନକୁଳ କହିଛନ୍ତି।