ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବକ୍ସିଛକ ସ୍ଥିତ ଏକ ମୋବାଇଲ ଦୋକାନରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ମୋବାଇଲ ଓ ବିଭିନ୍ନ ସାମଗ୍ରୀ ପୋଡ଼ିଯାଇଛି। ପ୍ରାୟ ୨୫ରୁ ୩୦ ଲକ୍ଷ ଟଙ୍କାର ମୋବାଇଲ, ମୋବାଇଲ ଉପକରଣ, ଏକ ଫ୍ରିଜ ଓ ସମସ୍ତ ଆସବାବପତ୍ର ପୋଡି ଯାଇଥିବା ଦୋକାନ ମାଲିକ କହିଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ରାତ୍ରି ପ୍ରାୟ ୨ଟାରେ କୌଣସି କାରଣରୁ ବକ୍ସି ଛକସ୍ଥିତ ମହାପାତ୍ର ମୋବାଇଲ ଦୋକାନରେ ନିଆଁ ଲାଗିଯାଇଥିଲା। ରାତିରେ ପାଟ୍ରୋଲିଂ କରୁଥିବା ପୁଲିସ ଏହା ଦେଖି ଦମକଳକୁ ଖବର ଦେଇଥିଲେ। ଖବରପାଇ ୨ଟି ଦମକଳ ଗାଡି ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କିନ୍ତୁ ନିଆଁ ଆୟତ୍ତ ହେଲା ବେଳକୁ ଦୋକାନଟି ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଥିଲା। ତେବେ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ସର୍ଟସର୍କିଟ ଯୋଗୁଁ ନିଆ ଲାଗିଥିବା ଅନୁମାନ କରାଯାଉଛି।