୬ଷ୍ଠ ଦିନରେ ଚାଷୀ ଆନ୍ଦୋଳନ: ଆଜି ଚାଷୀ-ସରକାରଙ୍କ ମଧ୍ୟରେ ଆଲୋଚନା

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ଆଜି ୬ଷ୍ଠ ଦିନରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଆଗାମୀ ଡିସେମ୍ବର ୩ରେ ଚାଷୀମାନଙ୍କ ସହ ଆଲୋଚନା ପାଇଁ କେନ୍ଦ୍ର ସରକାର ଦେଇଥିବା ଆଲୋଚନା ପ୍ରସ୍ତାବକୁ କୃଷକ ସଂଗଠନମାନେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। କୌଣସି ସର୍ତ୍ତ ରଖି ସରକାରଙ୍କ ସହ ଆଲୋଚନା ସମ୍ଭବ ନୁହେଁ ବୋଲି ଚାଷୀ ନେତା ଶ୍ରୀ ସିଂହ କହିଛନ୍ତି। ଏନେଇ ଆସନ୍ତା ୩ ତାରିଖରେ ହେବାକୁ ଥିବା ଆଲୋଚନାକୁ ଆଜି କରିବାକୁ ନିଷ୍ପତ୍ତି ହୋଇଛି। ଆଜି ଅପରାହ୍ଣ ୩ଟାରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଚାଷୀ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହେବ ବୋଲି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି।

ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ସରକାର ୩୧ଟି ମାମଲା ରୁଜୁ କରିସାରିଲେଣି ବୋଲି ଚାଷୀ ନେତା ଗୁରନାମ ସିଂହ ଚନ୍ଦୋନୀ କହିଛନ୍ତି। ସରକାର ନୂଆ କୃଷି ଆଇନ ପ୍ରତ୍ୟାହାର କଲେ ଯାଇ ଚାଷୀଙ୍କ ଦାବି ପୂରଣ ହୋଇପାରିବ ବୋଲି ସେ କହିଛନ୍ତି। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଭେଟି ଚାଷୀ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀକୁ ସଂଯୋଗ କରୁଥିବା ପ୍ରମୁଖ ୫ଟି ପ୍ରବେଶ ପଥକୁ ବନ୍ଦ କରିଦେବାକୁ ଗତକାଲି ଚାଷୀନେତା ଚେତାବନୀ ଦେଇଥିଲେ। ସେହିଭଳି ଆନ୍ଦୋଳନ ଚାଲିଥିବାବେଳେ ଗତକାଲି ରାତିରେ ଗଜ୍ଜନ ସିଂହ ନାମକ ଜଣେ ଚା‌ଷୀଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀଙ୍କ ଘର ଲୁଧିଆନା ଜିଲ୍ଲାରେ। ଏହା ପୂର୍ବରୁ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିଲା। ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ସୁରକ୍ଷା ବ୍ୟବସ୍ଥା‌ କଡ଼ାକଡ଼ି କରିଛି। ଦିଲ୍ଲୀ ପୁଲିସ ବିଭିନ୍ନ ସ୍ଥାନରେ କଂକ୍ରିଟ୍‌ ପାଚେରି ନିର୍ମାଣ କରିଛି। ହରିୟାଣାର ‘ଖାପ୍‌’ ସମ୍ପ୍ରଦାୟ ଚାଷୀ ଆନ୍ଦୋଳନକୁ ସମର୍ଥନ ଘୋଷଣା କରିଛି। ନୂଆ କୃଷି ଆଇନ୍‌ ଚାଷୀ ବିରୋଧୀ ଏବଂ ସରକାର ଏହାକୁ ପ୍ରତ୍ୟାହାର କରିବାକୁ ପୁନର୍ବିଚାର କରିବାକୁ ‘ଖାପ୍‌’ ନେତା ସମ୍ବିର ସଙ୍ଗୱାନ କହିଛନ୍ତି।

ଅନ୍ୟପଟେ ସାହିନ୍‌ବାଗରୁ ମହିଳାମାନେ ଆସି ଚାଷୀ ଆନ୍ଦୋଳନରେ ଯୋଗ ଦେଇଛନ୍ତି। ଆନ୍ଦୋଳନ ସ୍ଥଳ ବୁରାଡ଼ି ପରିବର୍ତ୍ତେ ଯନ୍ତରମନ୍ତରକୁ ସ୍ଥାନାନ୍ତର କରାଯାଉ ବୋଲି ଭାରତୀୟ କିଷାନ ସଂଘ ସଭାପତି ସୁର‌ଜିତ ଫୁଲ୍‌ ନିଜ ଦାବିରେ ଅଟଳ ଅଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ ଚାଷୀଙ୍କୁ ସହାୟତା କରିବାକୁ କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚାଷୀମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗେଇ ଦେବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଦଳୀୟ କର୍ମୀମାନଙ୍କୁ କହିଛନ୍ତି।