ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ, ଶୋଇଥିବା ଅବସ୍ଥାରେ ଜୀଅନ୍ତା ଜଳିଗଲେ ନାବାଳକ

ସୋନପୁର,ଏନ୍ଏନ୍ଏସ୍: ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ ହୋଇ ଜୀଅନ୍ତା ଜଳିଗଲେ ୯ ବର୍ଷର ନାବାଳକ। ଏପରି ଅଭାବନୀୟ ଘଟିଛି ସୋନପୁର ଜିଲ୍ଲା ବିନିକା ବ୍ଲକ ଶଙ୍କରା ଗାଁରେ। ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୬ଟା ବେଳେ ବାପା ଟିକେଲାଲ ଗୁଦୁରିଆ ଗ୍ୟାସ୍‌ ଅନ୍ କରି ଚା’ ପ୍ରସ୍ତୁତ କରୁଥିଲେ। ଏହି ସମୟରେ ଗ୍ୟାସ୍‌ ସିଲିଣ୍ଡରରେ ହଠାତ୍ ଗ୍ୟାସ୍ ଲିକ୍ ହୋଇ ଘର ସାରା ନିଆଁ ଲାଗିଯାଇଥିଲା। ଏହା ଦେଖି ଘରେ ଥିବା ସମସ୍ତ ଲୋକ ବାହାରକୁ ଚାଲିଆସିଥିବା ବେଳେ ଘରେ ଶୋଇଥିବା ଜଣେ ୯ ବର୍ଷର ବାଳକ ଜୀଅନ୍ତା ଜଳିଯାଇଛି। ମୃତକ ନାବାଳକଙ୍କ ନାଁ ବାବୁସାନ ଗୁଦୁରିଆ ତେବେ ଏପରି ଘଟଣା ଘଟିବା ପରେ ଗ୍ରାମବାସୀମାନେ ଅଗ୍ନିଶମ ବାହିନୀକୁ ଫୋନ୍ କରି ଜଣାଇଥିଲେ। ପରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଛି।