ଆଜି ପଶ୍ଚିମବଙ୍ଗରେ ୩ଟି ଭର୍ଚ୍ଚୁଆଲ ରାଲି କରିବେ ନଡ୍ଡା

ନୂଆଦିଲ୍ଲୀ,ଏଜେନ୍ସି: ପଶ୍ଚିମବଙ୍ଗରେ ବିଧାନସଭା ଆସନ ପାଇଁ ନିର୍ବାଚନ ଚାଲୁଥିବାରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରବିବାର ୩ଟି ରାଲି କରିବେ। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ରାଲି ଭର୍ଚ୍ଚୁଆଲ ମାଧ୍ୟମରେ ହେବ ବୋଲି ଜଣାପଡିଛି। ରାଜ୍ୟରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ଆଉ ୨ଟି ପର୍ଯ୍ୟାୟ ବାକି ରହିଛି।

ପ୍ରଥମେ ନଡ୍ଡା ରାଜ୍ୟର ମାଲଦା ଅଞ୍ଚଳରେ ଥିବା ମନିକଛକ ନିର୍ବାଚନ ମଣ୍ଡଳୀର ଭୋଟରଙ୍କୁ ସମ୍ବୋଧନ କରିବାକୁ ଥିବା ବେଳେ ଦ୍ୱିତୀୟ ରାଲି ମୁର୍ସିଦାବାଦ ଅଞ୍ଚଳରେ ଥିବା ବରୱାନ ନିର୍ବାଚନ ମଣ୍ଡଳୀ ଓ ୩ୟ ରାଲିଟି କୋଲକାତାର କାଶିପୁର-ବେଲଗଛିଆର ଖିଆଳି ଆଥଲେଟିକ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଏହି ରାଲି ପାଇଁ ନଡ୍ଡା ଦଳର ରାଷ୍ଟ୍ରନେତା ଓ ରାଜ୍ୟ ସ୍ତରରେ ଥିବା କାର୍ଯ୍ୟାଳୟ ସହିତ ଭିଡିଓ କନଫରେନ୍ସିଂ ଆରମ୍ଭ କରିସାରିଛନ୍ତି। ପଶ୍ଚିମବଙ୍ଗରେ କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିବା ପାଇଁ ସେ ବିଜେପି କର୍ମୀଙ୍କ ସହିତ ଏକାଧିକ ଭର୍ଚ୍ଚୁଆଲ ବୈଠକ କରିଥିବା ସୂଚନା ମିଳିଛି।

ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବଢିଥିବାରୁ ନିର୍ବାଚନ ଲାଗି କୌଣସି ପ୍ରକାର ରୋଡ ସୋ ଓ ପଦଯାତ୍ରା ନ କରିବାକୁ ନିର୍ବାଚନ ଆୟୋଗ ଗତ ଗୁରୁବାର ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ଜନସଭାରେ ୫୦୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ ବୋଲି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରକ୍ରିୟାକୁ ୮ଟି ପର୍ଯ୍ୟାୟରେ କରିବାକୁ ନିର୍ବାଚନ ଆୟୋଗ ସ୍ଥିର କରିଥିବା ବେଳେ ତନ୍ମଧ୍ୟରୁ ୬ଟି ପର୍ଯ୍ୟାୟ ଶେଷ ହୋଇଛି। ତେବେ ୭ମ ଓ ୮ମ ପର୍ଯ୍ୟାୟ ଯଥାକ୍ରମେ ଏପ୍ରିଲ ୨୬ ଓ ୨୯ ତାରିଖରେ ହେବାକୁ ଥିବା ବେଳେ ଭୋଟ ଗଣତି ପ୍ରକ୍ରିୟା ମେ’ ୨ ତାରିଖରେ ହେବ।