ପେଟ୍ରୋଲ ଥେରୋପି ଯୋଗୁଁ କଟିଲା ଆଙ୍ଗୁଠି: ଡାକ୍ତର ଓ କମ୍ପାଉଣ୍ଡରଙ୍କ ନାମରେ ମାମଲା

ଦେବଗଡ଼,ଏନ୍ଏନ୍ଏସ୍: ପେଟ୍ରୋଲ ଥେରୋପି ପଦ୍ଧତିରେ ଭୁଲ ଚିକିତ୍ସା ଯୋଗୁଁ ଜଣେ ଯୁବକଙ୍କ ଗୋଡ଼ ଆଙ୍ଗୁଠି କଟିଯାଇଛି। ଏନେଇ ସମ୍ପୃକ୍ତ ଡାକ୍ତର ଓ କମ୍ପାଉଣ୍ଡରଙ୍କ ବିରୋଧରେ କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଛି।

ଅନ୍ୟପକ୍ଷରେ  କ୍ଷତିପୂରଣ ଦେବା ବଦଳରେ ପୀଡିତଙ୍କ ପରିବାରକୁ ଆପୋଶ ସମାଧାନ କରିବାକୁ ଚାପ ପ୍ରୟୋଗ କରାଯାଉଥିବାରୁ  ସେମାନେ ଆଜି ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ଅନୁଯାୟୀ, କୁଣ୍ଢେଇଗୋଳା ଥାନା ଉଟୁଣିଆ ଗ୍ରାମର ତ୍ରୀପୁରାରୀ ପ୍ରଧାନଙ୍କ ପୁଅ ସନ୍ଦୀପ ଜୁନ୍ ୧୭ ତାରିଖ ଦିନ ତାଙ୍କ ଡାହାଣ ଗୋଡର ବୃଦ୍ଧାଙ୍ଗୁଠିରେ ହୋଇଥିବା କଣନଖା ଚିକିତ୍ସା ପାଇଁ ପଳସମା କ୍ଷେତ୍ରୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେଠାରେ ଡାକ୍ତର ଚିତ୍ତରଞ୍ଜନ ସାହୁକୁ ଦେଖାଇବା ପରେ ତାଙ୍କ ପରାମର୍ଶ କ୍ରମେ କମ୍ପାଉଣ୍ଡର ପଦ୍ମନାଭ ସାହୁଙ୍କୁ ଦେଖାଇଥିଲେ। କମ୍ପାଉଣ୍ଡର ସନ୍ଦୀପଙ୍କ ଗୋଡ଼ରେ ଔଷଧ ବଦଳରେ ପେଟ୍ରୋଲ ଢାଲି ଚିକିତ୍ସା କରିଥିଲେ। ଫଳରେ ସନ୍ଦୀପଙ୍କ ଘା ଠିକ ହେବା ପରିବର୍ତ୍ତେ ବଢିଥିଲା। ଏହାପରେ ପରିବାର ଲୋକେ ଛେଣ୍ଡିପଦା ଓ ଅନୁଗୁଳ ଡାକ୍ତରଖାନା ନେଇଥିଲେ। ସେଠାରେ ମଧ୍ୟ କିଛି ସୁଫଳ ନମିଳିବାରୁ ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନରେ ଦେଖାଇଥିଲେ। ଭୁଲ ଚିକିତ୍ସା ଯୋଗୁଁ ଆଙ୍ଗୁଠିରେ ସଂକ୍ରମଣ ବଢୁଥିବାରୁ ଭୁବନେଶ୍ୱର ଡାକ୍ତର ଆଙ୍ଗୁଠି କାଟିବାକୁ ବାଧ୍ୟ ହୋଇଥିଲେ। ଏନେଇ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟଙ୍କ ମତାମତ ନେବାରୁ ଘଟଣା ସମ୍ପର୍କରେ ତାଙ୍କ ନିକଟରେ କୌଣସି ଅଭିଯୋଗ ହୋଇ ନ ଥିବା ପ୍ରକାଶ କରିବା ସହ ଅଭିଯୋଗ ଆସିଲେ ଘଟଣାର ତଦନ୍ତ କରାଯାଇ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।  ସମ୍ପୃକ୍ତ ଡାକ୍ତର ଓ କମ୍ପାଉଣ୍ଡରଙ୍କ ସହ ଘଟଣାସମ୍ପର୍କରେ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ।