ଯୁକ୍ତ ଦୁଇ ବାଣିଜ୍ୟରେ ମାଲକାନଗିରିରେ ପାସହାର ୭୪ ପ୍ରତିଶତ: ସୁମନ କୁମାରୀ ରାଠୀ ଜିଲ୍ଲା ଟପ୍ପର

ମାଲକାନଗିରି,ଏନ୍ଏନ୍ଏସ୍: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ମାଲକାନଗିରି ଜିଲ୍ଲାରେ ଶତକଡ଼ା ୭୪ ପ୍ରତିଶତ ଛାତଛାତ୍ରୀ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ଏଥିସହିତ ମାଲକାନଗିରି ମହାବିଦ୍ୟାଳୟର ଛାତ୍ରୀ ସୁମନ କୁମାରୀ ରାଠୀ ସର୍ବାଧିକ ଶତକଡ଼ା ୮୧ ପ୍ରତିଶତ ନମ୍ବର ରଖି ଜିଲ୍ଲା ଟପ୍ପର ହୋଇଛନ୍ତି। ଏହି ସଫଳତା ପାଇଁ ସୁମନଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଓ ଅଧ୍ୟାପକ ରଞ୍ଜନ କୁମାର ସ୍ୱାଇଁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ସୂଚନାଯୋଗ୍ୟ, ବାଲିମେଳା ବିଜୁ ପଟ୍ଟନାୟକ ବୈଷୟିକ ବିଜ୍ଞାନ ମହାବିଦ୍ୟାଳୟର ୧୩ ଜଣ ଛାତଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୭ ଜଣ ପାସ କରିଛନ୍ତି। ସେଥିମଧ୍ୟରୁ ଜଣେ ପ୍ରଥମ ଶ୍ରେଣୀ, ଜଣେ ଦ୍ୱିତୀୟ ଶ୍ରେଣୀ ଓ ୫ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଇଛନ୍ତି। ସେହିଭଳି ଗୋବିନ୍ଦପାଲ୍ଲୀ ସରକାରୀ ଏସଏସଡି ବିଦ୍ୟାଳୟର ୬୮ ଜଣ ପରୀକ୍ଷା ଦେଇଥିବାବେଳେ ୧୮ ଜଣ ପ୍ରଥମ, ୧୯ ଜଣ ଦ୍ୱିତୀୟ ଓ ୨୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ମାଥିଲୀର ଉତ୍କଳମଣି ଗୋପବନ୍ଧୁ ଦାସ ମହାବିଦ୍ୟାଳୟର ୧୪ ଜଣଙ୍କ ମଧ୍ୟରୁ ୧୩ ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ପ୍ରଥମ ଶ୍ରେଣୀରେ ଜଣେ, ଦ୍ୱିତୀୟ ଶ୍ରେଣୀରେ ୩ ଜଣ ଓ ତୃତୀୟ ଶ୍ରେଣୀରେ ୯ ଜଣ ରହିଛନ୍ତି। ମାଲକାନଗିରି ମହାବିଦ୍ୟାଳୟର ୫୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୧ ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ପ୍ରଥମ ଶ୍ରେଣୀରେ ୬ଜଣ, ଦ୍ୱିତୀୟ ଶ୍ରେଣୀରେ ୯ ଜଣ ଓ ତୃତୀୟ ଶ୍ରେଣୀରେ ୨୬ଜଣ ରହିଛନ୍ତି।