ଏଫ୍‌ଆଇଏଚ୍ ପ୍ରୋ-ଲିଗ୍‌: ଯୁଗରାଜ ସିଂହଙ୍କ ହ୍ୟାଟ୍ରିକ୍‌, ସାଉଥ୍ ଆଫ୍ରିକାକୁ ୧୦-୨ରେ ହରାଇଲା ଭାରତ

ପୋଚେଫ୍‌ଷ୍ଟ୍ରୁମ୍‌,ଏଜେନ୍ସି: ଏଠାରେ ଚାଲିଥିବା ଏଫ୍‌ଆଇଏଚ୍ ପ୍ରୋ-ଲିଗ୍‌ରେ ଭାରତୀୟ ପୁରୁଷ ହକି ଟିମ୍ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି । ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଯୁବ ଡ୍ରାଗ୍ ଫ୍ଲିକର୍ ଯୁଗରାଜ ସିଂହଙ୍କ ହ୍ୟାଟ୍ରିକ୍ ବଳରେ ଭାରତ ଆୟୋଜକ ସାଉଥ୍ ଆଫ୍ରିକାକୁ ୧୦-୨ ଗୋଲ୍‌ରେ ହରାଇ ଦେଇଛି । ଭାରତ ପକ୍ଷରୁ ଯୁଗରାଜ ୪ର୍ଥ, ୬ଷ୍ଠ ଓ ୨୩ତମ ମିନିଟ୍‌ରେ ଗୋଲ୍ କରିଥିବା ବେଳେ ଗୁରସାହିବଜିତ୍ ସିଂହ (୨୪ତମ, ୩୬ତମ) ଏବଂ ଦୀଲ୍‌ପ୍ରୀତ୍ ସିଂହ (୨୫ତମ, ୫୮ତମ) ଦୁଇଟି ଲେଖାଏଁ ଗୋଲ୍ କରିଥିଲେ । ସେହିପରି ହରମନ୍‌ପ୍ରୀତ୍ ସିଂହ (୨ୟ) , ଅଭିଷେକ (୧୨ଶ) ଏବଂ ମନଦୀପ୍ ସିଂହ (୨୭ତମ) ଗୋଟିଏ ଲେଖାଏଁ ଗୋଲ୍ ସ୍କୋର୍ କରିଥିଲେ । ସାଉଥ୍ ଆଫ୍ରିକା ପକ୍ଷରୁ ଡାନିଏଲ୍ ବେଲ୍ (୪୪ତମ) ଏବଂ ରିଚାର୍ଡ ପଟ୍‌ଜ (୪୫ତମ) ଗୋଲ୍ ଦୁଇଟି କରିଥିଲେ । ଉନ୍ନତ ପ୍ରଦର୍ଶନ ପାଇଁ ଯୁଗରାଜଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା ।

ମ୍ୟାଚ୍ ପ୍ରାରମ୍ଭରୁ ଟୋକିଓ ଅଲିମ୍ପିକ୍ ବ୍ରୋଞ୍ଜ୍ ପଦକ ବିଜେତା ଭାରତୀୟ ଟିମ୍ ପ୍ରତିପକ୍ଷ ଟିମ୍ ଉପରେ ଆକ୍ରମଣ କରିଥିଲା । ଫଳରେ ଟିମ୍‌ର ପ୍ରଥମ ମିନିଟ୍‌ରେ ପେନାଲ୍ଟି କର୍ଣ୍ଣର୍ ମିଳିଥିଲା । ତେବେ ହରମନ୍‌ପ୍ରୀତ୍‌ଙ୍କ ଉଦ୍ୟମ ବିଫଳ ହୋଇଥିଲା । ମାତ୍ର ପରବର୍ତ୍ତୀ ମିନିଟ୍‌ରେ ମନ୍‌ପ୍ରୀତ୍ ଏକ ଫ୍ଲିକ୍ ମାଧ୍ୟମରେ ଟିମ୍ ପକ୍ଷରୁ ଖାତା ଖୋଲିଥିଲେ । ଟିମ୍ ପକ୍ଷରୁ ପ୍ରଥମ କ୍ୱାର୍ଟର୍‌ରେ ୩ଟି ଗୋଲ୍ ହୋଇଥିଲା । ୨୩ତମ ମିନିଟ୍‌ରେ ଅଭିଷେକଙ୍କଠାରୁ ପାଇଥିବା ଏକ ପେନାଲ୍ଟି କର୍ଣ୍ଣର୍‌କୁ ଗୋଲ୍‌ରେ ପରିଣତ କରି ଯୁଗରାଜ ନିଜର ହ୍ୟାଟ୍ରିକ୍ ପୂରଣ କରିଥିଲେ । ଏହାପରେ ଗୁଜସାହିବଜିତ୍‌, ଦୀଲ୍‌ପ୍ରୀତ୍ ଓ ମନଦୀପ୍ ଗୋଲ୍ କରି ହାଫ୍‌ଟାଇମ୍ ପୂର୍ବରୁ ସ୍କୋର୍ ଲାଇନ୍‌କୁ ୮-୦ କରିଥିଲେ ।

୩୬ତମ ମିନିଟ୍‌ରେ ଗୁରସାହିବଜିତ୍ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍ କରି ଅଗ୍ରଣୀ ୯-୦ କରିଥିଲେ । ୪୪ତମ ମିନିଟ୍‌ରେ ଏକ ପେନାଲ୍ଟି କର୍ଣ୍ଣର୍‌ରୁ ପରିବର୍ତ୍ତନ କରି ଡାନିଏଲ୍ ବେଲ୍ ସାଉଥ୍ ଆଫ୍ରିକା ଖାତା ଖୋଲିଥିଲେ । ଏହାପରେ ରିଚାର୍ଡ ପୁଟ୍‌ଜ ଏକ ଆକର୍ଷଣୀୟ ଫିଲ୍ଡ ଗୋଲ୍ ମାଧ୍ୟମରେ ବ୍ୟବଧାନକୁ ୯-୨ କରିଥିଲେ । ୫୮ତମ ମିନିଟ୍‌ରେ ଦୀଲ୍‌ପ୍ରୀତ୍ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍ ସ୍କୋର୍ କରି ସ୍କୋର୍ ଲାଇନ୍ ୧୦-୨ କରିଥିଲେ, ଯାହା ଶେଷ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିଥିଲା । ଭାରତ ତା’ର ତୃତୀୟ ମ୍ୟାଚ୍ ୧୨ ତାରିଖରେ ଫ୍ରାନ୍ସ ବିପକ୍ଷରେ ଖେଳିବ ।