ଆଇସିସି ମହିଳା ବିଶ୍ୱକପ୍‌, ୧୫ ଜଣିଆ ଇଂଲଣ୍ଡ ଟିମ୍ ଘୋଷିତ

ଲଣ୍ଡନ,ଏଜେନ୍ସି: ଆଗାମୀ ମାର୍ଚ୍ଚ ୪ରୁ ଏପ୍ରିଲ୍ ୩ ତାରିଖ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡରେ ହେବାକୁ ଥିବା ଆଇସିସି ମହିଳା ବିଶ୍ୱକପ୍ ପାଇଁ ଇଂଲଣ୍ଡର ୧୫ ଜଣିଆ ଶକ୍ତିଶାଳୀ ଟିମ୍ ଘୋଷିତ ହୋଇଛି । ନିକଟରେ ଶେଷ ହୋଇଥିବା ଆଶେସ୍ ସିରିଜ୍‌ରେ ଦିନିକିଆ ଡେବ୍ୟୁ କରିଥିବା ଅଲ୍‌ରାଉଣ୍ଡର ଏମ୍ମା ଲାମ୍ବଙ୍କୁ ୧୫ ଜଣିଆ ଟିମ୍‌ରେ ସାମିଲ କରାଯାଇଛି ।

ସେହିପରି ୨୦ ବର୍ଷୀୟା ଅଫ୍ ସ୍ପିନର୍ ଚାର୍ଲି ଡିନ୍‌ଙ୍କୁ ଟିମ୍‌ରେ ସ୍ଥାନ ମିଳିଛି । ଅନ୍ୟପକ୍ଷରେ ୨୦୧୭ ବିଶ୍ୱକପ୍ ବିଜେତା ଟିମ୍‌ର ୮ ଜଣ ସଦସ୍ୟଙ୍କୁ ସୁଯୋଗ ମିଳିଛି । ୨୪ ବର୍ଷୀୟା ଲାମ୍ବ ଟିମ୍‌ରେ ଟାମି ବିଉମେଣ୍ଟ ଓ ଲରେନ୍ ୱିନ୍‌ଫିଲ୍ଡ ହିଲ୍‌ଙ୍କ ବ୍ୟାକ୍‌ଅପ୍ ଭାବେ କାର୍ଯ୍ୟ କରିବେ ବୋଲି ଇଂଲଣ୍ଡ ମହିଳା କ୍ରିକେଟ୍ ଡାଇରେକ୍ଟର ଜୋନାଥନ୍ ଫିଞ୍ଚ୍ କହିଛନ୍ତି ।

ଆଶେସ୍ ଟିମ୍‌ର ସଦସ୍ୟ ଥିବା ମାଇଆ ବାଉଚିର୍‌ଙ୍କୁ ବାଦ୍ ଦିଆଯାଇଥିବା ବେଳେ ମାଡି ଭିଲିୟର୍ସଙ୍କୁ ରିଜର୍ଭ ଭାବେ ସାମିଲ କରାଯାଇଛି । ସେ ଲରେନ୍ ବେଲ୍‌ଙ୍କ ସହ ରିଜର୍ଭ ଖେଳାଳି ଭାବେ ଟିମ୍ ସହ ଯାତ୍ରା କରିବେ । ଟିମ୍‌ର ନେତୃତ୍ୱ ହିଥର ନାଇଟ୍‌ଙ୍କ ଉପରେ ନ୍ୟସ୍ତ କରାଯାଇଥିବା ବେଳେ ପଞ୍ଚମ ଥର ପାଇଁ ସେ ବିଶ୍ୱକପ୍ ଟାଇଟଲ୍ ଜିତିବା ଉଦ୍ୟମ କରିବେ । ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ମାର୍ଚ୍ଚ ୫ ତାରିଖରେ ଚିର ପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆ ବିପକ୍ଷରେ ହାମିଲଟନ୍‌ରେ ଅଭିଯାନ ଆରମ୍ଭ କରିବ ।

ଇଂଲଣ୍ଡ ସ୍କ୍ୱାଡ୍‌: ହିଥର ନାଇଟ୍ (କ୍ୟାପ୍‌ଟେନ୍‌), ଟାମି ବିଉମଣ୍ଟ୍‌, କାଥେରିନ୍ ବ୍ରଣ୍ଟ୍‌, ଫ୍ରେୟା ଡେଭିସ୍‌, ଚାର୍ଲି ଡିନ୍‌, ସୋଫିଆ ଡଙ୍କ୍‌ଲେ, କାଟେ କ୍ରସ୍‌, ସୋଫି ଏକ୍ଲେଷ୍ଟୋନ୍‌, ଟାଶ ଫାରାଣ୍ଟ୍‌, ଆମି ଜୋନ୍ସ, ଏମ୍ମା ଲାମ୍ବ, ନାଟ୍ ସିଭର୍‌, ଆନ୍ୟା ଶ୍ରୁବ୍‌ସୋଲ୍‌, ଲରେନ୍ ୱିନ୍‌ଫିଲ୍ଡ-ହିଲ୍‌, ଡାନି ୱାଟ୍ ।