ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ ବିଜେଡି ଦଳ ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଜୋରସୋରରେ ପ୍ରଚାରପ୍ରସାର ଆରମ୍ଭ ହେଉଥିବା ବେଳେ କର୍ମୀଙ୍କ ଦଳ ଅଦଳ ବଦଳ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ପ୍ରଥମେ ବୁଡ଼ାବାହାଲ ପଞ୍ଚାୟତରେ ବିଜେଡି ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ପରେ କରମତଲା ପଞ୍ଚାୟତ ତୁଷ୍ଟାପାଲି ଠାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।
ଏଥିରେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ବିଜେଡି ବରିଷ୍ଠ ନେତା ପ୍ରମୋଦ ପଧାନ, ସଇଁନ୍ତଳା ବ୍ଲକ୍ ବିଜେଡି ସଭାପତି ଟୁନୁ ରାଜ ପଲିଆ, ବିଜେଡି ବ୍ଲକ୍ ସଭାନେତ୍ରୀ ଯାଜ୍ଞସିନୀ ରାଜପଲିଆ, ଟିକ୍ରାପଡ଼ା ଜିଲ୍ଲା ପରିଷଦ ପ୍ରାର୍ଥୀ ହିମାଞ୍ଚଳ ବୁଡେକ, ପୂର୍ବତନ ବିଜେଡି ବ୍ଲକ୍ ସଭାପତି ଦିଲ୍ଲୀପ ରାଜପଲିଆ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିବାବେଳେ ଦୁଇ ମନ୍ତ୍ରୀଙ୍କ ଉପସ୍ଥିତିରେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀମାନେ ଦଳକୁ ଛାଡି ବିଜେଡି ଦଳରେ ସାମିଲ ହୋଇଛନ୍ତି।
ରାଜ୍ୟ ସରକାର ଓ ମନ୍ତ୍ରୀ ଶ୍ରୀମତୀ ସାହୁଙ୍କ କାର୍ଯ୍ୟ ଓ ଦକ୍ଷତା ଏବଂ ବିକାଶରେ ଅନୁପ୍ରାଣିତ ହୋଇ ସାମିଲ ହୋଇଥିବା କର୍ମୀମାନେ ପ୍ରକାଶ କରିଛନ୍ତି। ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ର ବଦନ ପୁରୋହିତ, ରାଜ କିଶୋର ଡାଙ୍ଗ, ସର୍ବେଶ୍ୱର ପାତ୍ର, ସମେତ ଶତାଧିକ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ।