ଫିଫା ବିଶ୍ୱକପ୍‌: ସେମିରେ ପରାଜୟ ପରେ ମରକ୍କୋ ସମର୍ଥକଙ୍କ ହିଂସାକାଣ୍ଡ

ଅଲ୍‌-ଖୋର୍‌,ଏଜେନ୍ସି: ଚଳିତ ଫିଫା ବିଶ୍ୱକପ୍‌ର ୨୨ତମ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ଆସନ୍ତା ରବିବାର ଡିଫେଣ୍ଡିଂ ଚାମ୍ପିଅନ୍ ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବ । ପୂର୍ବରୁ ପ୍ରଥମ ଦଳ ଭାବେ ଆର୍ଜେଣ୍ଟିନା ପ୍ରତିଦ୍ୱନ୍ଦ୍ୱୀ କ୍ରୋଏସିଆକୁ ହରାଇ ଫାଇନାଲ୍‌ରେ ପହଞ୍ଚିଥିବା ବେଳେ ବୁଧବାର ବିଳମ୍ବିତ ରାତିରେ ଫ୍ରାନ୍ସ ମରକ୍କୋକୁ ୨-୦ ଗୋଲ୍‌ରେ ହରାଇ ଦ୍ୱିତୀୟ ଦଳ ଭାବେ ଫାଇନାଲ୍‌କୁ ଉନ୍ନୀତ ହୋଇଛି । ଏଥିସହ ୨୦ ବର୍ଷ ଭିତରେ ଫ୍ରାନ୍ସ ପ୍ରଥମ ଡିଫେଣ୍ଡିଂ ଚାମ୍ପିଅନ୍ ଭାବେ ଫାଇନାଲ୍‌ରେ ପହଞ୍ଚିଛି । ମ୍ୟାଚ୍‌ର ପଞ୍ଚମ ମିନିଟ୍‌ରେ ଫ୍ରାନ୍ସ ପକ୍ଷରୁ ଥିଓ ହର୍ଣ୍ଣାଣ୍ଡେଜ୍ ପ୍ରଥମ ଗୋଲ୍ ଦେଇଥିବା ବେଳେ ୭୯ତମ ମିନିଟ୍‌ରେ ବଦଳ ଖେଳାଳି ରାଣ୍ଡାଲ୍ କୋଲୋ ମୁଆନି ଦ୍ୱିତୀୟ ଗୋଲ୍ ସ୍କୋର୍ କରିଥିଲେ । ମ୍ୟାଚ୍‌ରେ ୬୦ ପ୍ରତିଶତ ସମୟ ମରକ୍କୋ ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିଲେ ମଧ୍ୟ ଫ୍ରାନ୍ସ ଭାଗରେ ବିଜୟ ପଡ଼ିଥିଲା ।

ଆସନ୍ତା ଶନିବାର ମରକ୍କୋ ତୃତୀୟ ସ୍ଥାନ ପାଇଁ କ୍ରୋଏସିଆ ସହ ମୁକାବିଲା କରିବ । ତେବେ ମରକ୍କୋ ପ୍ରଥମ ଆଫ୍ରିକୀୟ ଦଳ ଭାବେ ସେମିରେ ପହଞ୍ଚି ଐତିହାସିକ ସଫଳତା ପାଇଥିଲେ ହେଁ ଆଉ ଆଗକୁ ଯାଇ ନ ପାରିବ ଏହାର ପ୍ରଶଂସକଙ୍କୁ ନିରାଶ କରିଥିଲା । ଏହି କାରଣରୁ ବେଲଜିୟମ୍ ଓ ଫ୍ରାନ୍ସରେ ହିଂସାକାଣ୍ଡ ଘଟିଥିବା ଖବର ମିଳିଛି । ବେଲ୍‌ଜିୟମ୍ ରାଜଧାନୀ ବ୍ରୁସେଲ୍ସସ୍ଥିତ ସାଉଥ୍ ଗେଟ୍ ଷ୍ଟେସନ୍‌ଠାରେ ଶହେରୁ ଊର୍ଦ୍ଧ୍ୱ ମରକ୍କୋ ସମର୍ଥକ ଦେହରେ ଜାତୀୟ ପତାକା ଗୁଡ଼ାଇ ହୋଇ ହିଂସାକାଣ୍ଡ ଘଟାଇଥିଲେ । ସେମାନେ ପୁଲିସ୍ ଉପରକୁ ବାଣ ଫିଙ୍ଗିବା ସହ ଟେକା ପଥର ମାଡ଼ କରିଥିଲେ । ଏହାଛଡ଼ା କେତେକ ଅଳିଆଭର୍ତ୍ତି ବ୍ୟାଗ୍ ମଧ୍ୟ ଫିଙ୍ଗିଥିବା ଦେଖାଯାଇଛି । ସମର୍ଥକମାନଙ୍କ ଆକ୍ରମଣରେ ଦୁଇଟି ପୁଲିସ ଭ୍ୟାନ୍ ଭାଙ୍ଗିଯାଇଛି । ବ୍ୟାପକ ଭଙ୍ଗାରୁଜାକୁ ରୋକିବା ସକାଶେ ପୁଲିସ୍ ପକ୍ଷରୁ ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ୍ ସହ ପାଣି ମାଡ଼ କରିଥିବା ଜଣାପଡ଼ିଛି ।

ପୁଲିସ୍ ଏହି ମାମଲାରେ କେତେକଙ୍କୁ ଅଟକ ରଖିବା ସହ ଏହି ଘଟଣାରେ କେହି ଆହତ ହୋଇ ନଥିବା ସ୍ପଷ୍ଟ କରିଛି । ଏହାଛଡ଼ା ଫ୍ରାନ୍ସରେ କେତେକ ମରକ୍କୋ ସମର୍ଥକ ଫ୍ରାନ୍ସ ବିଜୟରେ ଖୁସି ମନାଉଥିବା ପ୍ରଶଂସକମାନଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି । ଦକ୍ଷିଣ ଫ୍ରାନ୍ସର ମୋଣ୍ଟ୍‌ପିଲିର୍ ସହରରେ କେତେକ ମରକ୍କୋ ପ୍ରଶଂସକ ଦଳର ପରାଜୟରେ ନିରାଶ ହୋଇ ପୋଡ଼ାଜଳା କରିବା ସହ ରାସ୍ତାରେ ଚଳାଚଳ କରୁଥିବା ଯାନବାହନକୁ ଆକ୍ରମଣ କରିଥିଲେ । ଏହି ଘଟଣାରେ ଜଣେ ୧୪ ବର୍ଷର ନାବାଳକ ଆହତ ହୋଇ ପରେ ହସ୍ପିଟାଲ୍‌ରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ସେମିରେ ପରାଜୟ ପରେ ଦଳର ପ୍ରଦର୍ଶନ ପାଇଁ ଖେଳାଳିମାନେ ଅଲ୍ଲାହଙ୍କ ସଜଦାହ କରିଥିଲେ । ସୋସିଆଲ୍ ମିଡିଆରେ ଏହି ଫଟୋ ଭାଇରାଲ୍ ହେବା ପରେ ପ୍ରଶଂସକମାନେ ଖେଳାଳିମାନଙ୍କୁ ପ୍ରଶଂସା କରିଛନ୍ତି ।