ପ୍ରଥମ ଟେଷ୍ଟ୍‌: ଅଶ୍ୱିନ୍‌ଙ୍କ ଅର୍ଦ୍ଧଶତକ, କୁଲଦୀପଙ୍କ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ, ଭାରତ ୪୦୪

ଚଟ୍ଟୋଗ୍ରାମ୍‌,ଏଜେନ୍ସି: ଏଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଭ୍ରମଣକାରୀ ଭାରତ ପ୍ରଥମ ଇନିଂସରେ ୧୩୩.୫ ଓଭର୍ ଖେଳି ୪୦୪ ରନ୍ କରିଛି । ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଗୁରୁବାର ଅଷ୍ଟମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରବିଚନ୍ଦ୍ରନ୍ ଅଶ୍ୱିନ୍ ଅର୍ଦ୍ଧଶତକ କରିବା ସହ ଅଷ୍ଟମ ୱିକେଟ୍‌ରେ କୁଲଦୀପ ଯାଦବଙ୍କ ସାଥୀରେ ଗୁରୁତ୍ୱପୂର୍ଣ୍ଣ ୯୨ ରନ୍‌ର ଭାଗୀଦାରୀ କରିବା ଫଳରେ ଭାରତ ସ୍କୋର୍ ୪ ଶହ ଟପିଥିଲା । ସେହିପରି କୁଲଦୀପ ବ୍ୟାଟ୍ ସହ ବଲ୍‌ରେ ବି ଚମତ୍କାରିତା ଦେଖାଇଛନ୍ତି । ଭାରତର ପ୍ରଥମ ଇନିଂସ ସ୍କୋର୍ ଜବାବରେ ଗୁରୁବାର ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଘରୋଇ ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇ ୮ ୱିକେଟ୍ ବିନିମୟରେ ମାତ୍ର ୧୩୩ ରନ୍ କରି ଫଲୋଅନ୍‌ର ଦ୍ୱାରଦେଶରେ ପହଞ୍ଚିଯାଇଛି । ଷ୍ଟମ୍ପ୍‌ସ ଅପସାରଣ ବେଳକୁ ମେହିଦୀ ହସନ୍ ମିରାଜ୍ ୧୬ ଓ ଏବାଦତ୍ ହାସେନ୍ ୧୩ ରନ୍ କରି ଅପରାଜିତ ଅଛନ୍ତି । ଓପନର ନଜମୁଲ୍ ହସନ୍ ଶାଣ୍ଟୋ ଖାତା ଖୋଲିବା ପୂର୍ବରୁ ଇନିଂସର ପ୍ରଥମ ବଲ୍‌ରେ ଆଉଟ୍ ହେବା ଫଳରେ ମହମ୍ମଦ ସିରାଜ୍‌ଙ୍କୁ ପ୍ରଥମ ୱିକେଟ୍ ମିଳିଥିଲା ।

ଏହାପରେ ଭାରତୀୟ ବୋଲରମାନେ କ୍ରମାଗତ ୱିକେଟ୍‌ମାନ ନେଇଚାଲିଥିଲେ । ଅନ୍ୟତମ ଓପନର ଜାକିର୍ ହସନ୍‌, ଲିଟ୍ଟନ୍ ଦାସ ଓ ମୁଶଫିକର୍ ରହିମ୍ ଷ୍ଟାର୍ଟ ପାଇଥିଲେ ମଧ୍ୟ ଏହାକୁ ବଡ଼ ସ୍କୋର୍‌ରେ ପରିଣତ କରିପାରି ନଥିଲେ । ଜାକିର୍ ୩ଟି ଚୌକା ସହ ୨୦, ଲିଟ୍ଟନ୍ ୫ଟି ଚୌକା ମାଧ୍ୟମରେ ୨୪ ଏବଂ ମୁଶଫିକର୍ ରହିମ୍ ୩ଟି ଚୌକା ସହ ୨୮ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆସିର୍ ଅଲୀ ୪, ଅଧିନାୟକ ସାକିବ୍‌-ଅଲ୍‌-ହସନ୍ ୩ ଓ ତାଇଜୁଲ୍ ଇସଲାମ୍ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ । ସେହିପରି ମିରାଜ୍ ଓ ଏବାଦତ୍‌ଙ୍କ ଅପରାଜିତ ଇନିଂସରେ ଗୋଟିଏ ଲେଖାଏଁ ଚୌକା ଓ ଛକା ରହିଛି । ଭାରତ ପକ୍ଷରୁ କୁଲଦୀପ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ସିରାଜ୍ ୩ଟି ଓ ଉମେଶ ଯାଦବଙ୍କୁ ଅନ୍ୟ ୱିକେଟ୍‌ଟି ମିଳିଥିଲା ।

ଏହା ପୂର୍ବରୁ ଗୁରୁବାର ସକାଳେ ପୂର୍ବ ଦିନର ଅପରାଜିତ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍ (୮୨) ଅଶ୍ୱିନ୍‌ଙ୍କ ସହ ୨୭୮/୬ରୁ ଖେଳ ଆରମ୍ଭ କରିଥିଲେ । ତେବେ ଶ୍ରେୟସ୍ ପୂର୍ବ ଦିନର ସ୍କୋର୍‌ରେ ମାତ୍ର ୪ ରନ୍ ଯୋଡ଼ିବା ପରେ ଆଉଟ୍ ହୋଇଥିଲେ । ଫଳସ୍ୱରୂପ ଭାରତ ଦିନର ପ୍ରଥମ ୱିକେଟ୍ ହରାଇଥିଲା । କିନ୍ତୁ ଅଶ୍ୱିନ୍ ଦୃଢ଼ ବ୍ୟାଟିଂ କରି ନିଜର ଅର୍ଦ୍ଧଶତକ ପୂରଣ କରିବା ସହ କୁଲଦୀପଙ୍କ ସହଯୋଗରେ ଦଳୀୟ ସ୍କୋର୍‌କୁ ୩୮୫ରେ ପହଞ୍ଚାଇଥିଲେ । ୧୧୩ ବଲ୍ ଖେଳି ୨ଟି ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ୫୮ ରନ୍ କରି ଅଶ୍ୱିନ୍ ଆଉଟ୍ ହୋଇଥିଲେ । ସେହିପରି କୁଲଦୀପ ୫ଟି ଚୌକା ସହ ୪୦ ରନ୍‌ର ଅବଦାନ ଦେଇଥିବା ବେଳେ ଉମେଶ ୨ଟି ଛକା ସହ ୧୫ ଓ ସିରାଜ୍ ଗୋଟିଏ ଚୌକା ସହ ୪ ରନ୍ କରିଥିଲେ । ବାଂଲାଦେଶ ପକ୍ଷରୁ ତାଇଜୁଲ୍ ଓ ମିରାଜ୍ ୪ଟି ଲେଖାଏଁ ଏବଂ ଏବାଦତ୍ ଓ ଖାଲେଦ୍ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।