ଟେଷ୍ଟ୍ ଟିମ୍ ଅଧିନାୟକ ପଦ ଛାଡ଼ିଲେ ୱିଲିୟମ୍‌ସନ୍‌

ୱେଲିଂଟନ୍‌,ଏଜେନ୍ସି: ନ୍ୟୁଜିଲାଣ୍ଡ୍ ଟେଷ୍ଟ୍ ଟିମ୍‌ର ଅଧିନାୟକ ପଦରୁ ଗୁରୁବାର କେନ୍ ୱିଲିୟମ୍‌ସନ୍ ଇସ୍ତଫା ଦେଇଛନ୍ତି । ତେବେ ସେ ସୀମିତ ଓଭର୍ କ୍ରିକେଟ୍‌ରେ ଅଧିନାୟକ ଦାୟିତ୍ୱ ତୁଲାଇବା ସହ ଟେଷ୍ଟ୍ କ୍ରିକେଟ୍ ଖେଳିବା ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । ଏହି ୩୨ ବର୍ଷୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଜଣକ ଦୀର୍ଘ ୬ ବର୍ଷ ଧରି ଦଳର ନେତୃତ୍ୱ ନେବା ସହ ଦଳକୁ ପ୍ରଥମ ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍‌ଶିପ୍‌ରେ ଚାମ୍ପିଅନ୍ କରାଇପାରିଥିଲେ । ୱିଲିୟମ୍‌ସନ୍‌ଙ୍କ ସ୍ଥାନରେ ଭେଟେରାନ୍ ପେସର୍ ଟିମ୍ ସାଉଦିଙ୍କୁ ପାଞ୍ଚଦିନିଆ ଫର୍ମାଟ୍‌ର ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ନ୍ୟୁଜିଲାଣ୍ଡ୍ କ୍ରିକେଟ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଆସନ୍ତା ୨୬ରୁ ହେବାକୁ ଥିବା ପାକିସ୍ତାନ ଗସ୍ତରୁ ୩୪ ବର୍ଷୀୟ ସାଉଦି ତାଙ୍କ ଅଧିନାୟକ କ୍ୟାରିୟର୍ ଆରମ୍ଭ କରିବେ । ସେହିପରି ଟମ୍ ଲାଥାମ୍‌ଙ୍କ ନାମ ଉପଅଧିନାୟକ ଭାବେ ଘୋଷଣା କରାଯାଇଛି । ୱିଲିୟମ୍‌ସନ୍‌ଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ୍ ଟେଷ୍ଟ୍ ର‌୍ୟାଙ୍କିଙ୍ଗ୍‌ରେ ଏକ ନମ୍ବର ସ୍ଥାନରେ ପହଞ୍ଚିପାରିଥିଲା । ତାଙ୍କ ଅଧୀନରେ ନ୍ୟୁଜିଲାଣ୍ଡ୍ ୪୦ଟି ଟେଷ୍ଟ୍‌ରୁ ୨୨ଟିରେ ବିଜୟୀ ହୋଇଛି । ସେହିପରି ତାଙ୍କ ଟେଷ୍ଟ୍ କ୍ୟାରିୟର୍‌ର ୨୪ଟି ଶତକ ମଧ୍ୟରୁ ୧୧ଟି ଅଧିନାୟକ ଭାବେ ୱିଲିୟମ୍‌ସନ୍ ସ୍କୋର୍ କରିଛନ୍ତି, ଯାହାକି ଏକ ରେକର୍ଡ ।