ପରଲୋକରେ ଓଡ଼ିଶା ମହିଳା ଫୁଟବଲ କୋଚ୍ ନନ୍ଦକିଶୋର

ବାରିପଦା,ଏନ୍ଏନ୍ଏସ୍: ଜାତୀୟସ୍ତରର ପୂର୍ବତନ ଫୁଟବଲ ଖେଳାଳି ତଥା ଓଡ଼ିଶା ମହିଳା ଫୁଟବଲ ଦଳର ପ୍ରଶିକ୍ଷକ ନନ୍ଦ କିଶୋର ପଟ୍ଟନାୟକ କୋଭିଡ଼-୧୯ରେ ଆକ୍ରାନ୍ତ ଥାଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିିଟାଲରେ ଚିକିତ୍ସାଧୀନ ଥିଲେ। ଗତକାଲି ବିଳମ୍ବିତ ରାତ୍ରିରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ନନ୍ଦକିଶୋର ସମସ୍ତଙ୍କ ନିକଟରେ ଟୁଟୁ ଭାଇ ନାମରେ ପରିଚିତ ଥିଲେ। ସେ ୧୯୭୧ରୁ ୧୯୮୫ ପର୍ଯ୍ୟନ୍ତ ବାରିପଦାର ବିଭିନ୍ନ ଫୁଟବଲ କ୍ଲବରେ ଜଣେ ଉଚ୍ଚକୋଟୀର ଫୁଟବଲ ଖେଳାଳି ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।

ସେ ୧୯୭୭ ଓ ୧୯୭୮ରେ ଓଡ଼ିଶା ଫୁଟବଲ ଦଳରେ ଜାତୀୟସ୍ତରରେ ସମ୍ମାନଜନକ ସନ୍ତୋଷ ଟ୍ରଫିରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ। ତାଙ୍କର ଉଚ୍ଚକୋଟୀର ଫୁଟବଲ ଖେଳ ପାଇଁ ସେ ୧୯୭୯ରେ ଏଜିରେ ଚାକିରି କରିବାର ସୁଯୋଗ ପାଇଥିଲେ ଏବଂ ଅଡ଼ିଟର ଭାବେ ଚାକିରିରୁ ଅବସର ନେଇଥିଲେ। ସେଥିରେ ଟୁଟୁ ଭାଇ ଅଟକି ଯାଇନଥିଲେ। ତାଙ୍କର ଶ୍ରେଷ୍ଠ ଅବଦାନ ହେଉଛି ଓଡ଼ିଶା ମହିଳା ଫୁଟବଲ ଦଳ। ତାଙ୍କ ପ୍ରଶିକ୍ଷଣରେ ଓଡ଼ିଶା ମହିଳା ଫୁଟବଲ ଦଳ ଅନେକ ଥର ଜାତୀୟ ଚମ୍ପିଆନ ହେବାରେ ସଫଳ ହେବା ସାଙ୍ଗକୁ ଆନ୍ତର୍ଜାତୀୟ ମହିଳା ଫୁଟବଲ ଖେଳାଳି ସୃଷ୍ଟି କରାଇବାରେ ତାଙ୍କର ଅବଦାନ ଅତୁଳନୀୟ ରହିଥିଲା।

ଏଥି ସହିତ ନନ୍ଦକିଶୋର ପଟ୍ଟନାୟକ ବହୁ ସମ୍ମାନର ଅଧିକାରୀ ହୋଇପାରିଥିଲେ। ସେଗୁଡ଼ିକ ମଧ୍ୟରେ ରିଏଲ ହିରୋ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ସିଏନଏନ, ଆଇବିଏନ, ଜୋଲ ଓ ୨୦୧୫ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ନିକଟରୁ ବିଜୁ ପଟ୍ଟନାୟକ ଆୱାର୍ଡ଼ ଫର ଆଉଟଷ୍ଟାଣ୍ଡିଂ କୋଚ ପୁରସ୍କାର ଗ୍ରହଣ କରିଥିଲେ। ନନ୍ଦ କିଶୋରଙ୍କ ବିୟୋଗରେ ଓଡ଼ିଶା କ୍ରୀଡ଼ା ବିଭାଗର ଫୁଟବଲ ଆସୋସିଏସନର ସମ୍ପାଦକ ଆର୍ଶୀବାଦ ବେହେରା, ଅଲିମ୍ପିକ ଆସୋସିଏସନର ସମ୍ପାଦକ ଅଭିଜିତ୍ ପାଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଶୋକ ବାର୍ତ୍ତା ଜଣାଇଛନ୍ତି।