ସ୍ୱତନ୍ତ୍ର ଭାବେ କାର୍ଯ୍ୟକ୍ଷମ ହେଲା ମିଶନ ଶକ୍ତି ବିଭାଗ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ମହିଳା ଓ ଶିଶୁ ବିକାଶ ବିଭାଗରୁ ପୃଥକ ହୋଇ ଆଜିଠାରୁ ଏକ ସ୍ୱତନ୍ତ୍ର ବିଭାଗ ଭାବେ କାର୍ଯ୍ୟ କରିବ ‘ମିଶନ ଶକ୍ତି’ ବିଭାଗ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଏ ସଂପର୍କିତ ବିଜ୍ଞପ୍ତି ଆଜି ପ୍ରକାଶିତ ହୋଇଛି। ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗକୁ ‘ମହିଳା ଓ ଶିଶୁ ବିକାଶ’ ବିଭାଗ ଭାବେ ନାମିତ କରାଯାଇଛି। ନୂତନ ଭାବେ ଗଠନ କରାଯାଇଥିବା ମିଶନ ଶକ୍ତି ବିଭାଗ ଲୋକସେବା ଭବନରେ କାର୍ଯ୍ୟ କରିବ ଏବଂ ଏହାର ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟାଳୟଗୁଡ଼ିକ ପୂର୍ବପରି ମିଶନ ଶକ୍ତି ଭବନ, ପୋଖରୀପୁଟ ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ପରିସରରେ ଓଡ଼ିଶା ଜୀବିକା ମିଶନ କୋଠାରେ କାର୍ଯ୍ୟ କରିବ।

ମିଶନ ଶକ୍ତି ନିର୍ଦ୍ଦେଶାଳୟ, ଓଡ଼ିଶା ଜୀବିକା ମିଶନ ଓ ଜାତୀୟ ସହରାଞ୍ଚଳ ଜୀବିକା ମିଶନ ଅନ୍ତର୍ଭୁକ୍ତ ରାଜ୍ୟ, ଜିଲ୍ଲା, ବ୍ଲକ୍‌, ଗ୍ରାମପଞ୍ଚାୟତ ଏବଂ ଗାଁ ସ୍ତରରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କର ସମସ୍ତ କାର୍ଯ୍ୟକ୍ରମ ଓ ଭିତ୍ତିଭୂମି, ଆସବାବପତ୍ର ଇତ୍ୟାଦି ନୂତନ ବିଭାଗର ପ୍ରଶାସନିକ ନିୟନ୍ତ୍ରଣ ଓ ପରିଚାଳନାରେ ରହିବ। ମିଶନ ଶକ୍ତି କାର୍ଯ୍ୟକ୍ରମ, ଦୀନଦୟାଲ ଅନ୍ତୋଦୟ ଯୋଜନା ଅନ୍ତର୍ଗତ ଓଡ଼ିଶା ଜୀବିକା ମିଶନର କାର୍ଯ୍ୟକ୍ରମ ଏବଂ ଜାତୀୟ ଗ୍ରାମୀଣ ଜୀବିକା ମିଶନ, ଜାତୀୟ ଗ୍ରାମୀଣ ଅର୍ଥନୈତିକ ପରିବର୍ତ୍ତନ ପ୍ରକଳ୍ପ ଏବଂ ଜାତୀୟ ସହରାଞ୍ଚଳ ଜୀବିକା ମିଶନରେ କାର୍ଯ୍ୟକାରୀ ହେଉଥିବା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ କାର୍ଯ୍ୟକ୍ରମ ଏହି ବିଭାଗ ମାଧ୍ୟମରେ କରାଯିବ। ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପରିବର୍ତ୍ତେ ମିଶନ ଶକ୍ତି ବିଭାଗ ଦ୍ୱାରା ଉପରୋକ୍ତ କାର୍ଯ୍ୟକ୍ରମଗୁଡ଼ିକ ସଂପାଦିତ ହେବ। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏହି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱରେ ରହିବେ। ସଂସଦୀୟ ବ୍ୟାପାର ବିଭାଗ ତରଫରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। କମିସନର ତଥା ନିର୍ଦ୍ଦେଶକ, ମିଶନ ଶକ୍ତି ସୁଜାତା ଆର୍‌ କାର୍ତ୍ତିକେୟନ୍‌ ଏହି ନୂତନ ବିଭାଗର କମିସନର ତଥା ଶାସନ ସଚିବ ଭାବେ ଅବସ୍ଥାପିତ ହେବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ବିଭାଗ ପାଇଁ ଆବଶ୍ୟକ କର୍ମଚାରୀଙ୍କ ନିମନ୍ତେ ସରକାରଙ୍କ ତରଫରୁ ବିହିତ ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ସ୍ୱୟଂ ସହାୟକ ଗୋଷ୍ଠୀ ସଂପର୍କିତ କାର୍ଯ୍ୟକ୍ରମ ଦାୟିତ୍ୱରେ ଥିବା କର୍ମଚାରୀମାନେ ନୂତନ ବିଭାଗରେ ଅବସ୍ଥାପିତ ହୋଇ କାର୍ଯ୍ୟ କରିବେ।

୨୦୨୨-୨୩ ବର୍ଷରୁ ଏହି ବିଭାଗ ପାଇଁ ରାଜ୍ୟ ବଜେଟରେ ସ୍ୱତନ୍ତ୍ର ବ୍ୟୟବରାଦ କରାଯିବ, ଏବଂ ଚଳିତ ବର୍ଷ ପାଇଁ ମହିଳା ଓ ଶିଶୁ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ମିଶନ ଶକ୍ତି ପାଇଁ ଅନୁମୋଦନ ହୋଇଥିବା ବଜେଟରୁ ଯୋଜନା ତଥା କର୍ମଚାରୀମାନଙ୍କ ଦରମା ଆଦି ପାଇଁ ଖର୍ଚ୍ଚ କରାଯିବ। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ଏ ସଂପର୍କିତ ବିଜ୍ଞପ୍ତି ଜାରି କରାଯାଇଛି। ଓଡ଼ିଶା ଗେଜେଟ୍‌ରେ ପ୍ରକାଶ ପାଇଁ ଅନୁରୋଧ କରାଯାଇଛି। ଏହା ଦ୍ୱାରା ରାଜ୍ୟ ସରକାରଙ୍କ ମହିଳା ସଶକ୍ତୀକରଣ ଆଭିମୁଖ୍ୟ ଆହୁରି ତ୍ୱରାନ୍ୱିତ ହୋଇପାରିବ ବୋଲି ଆଶା କରାଯାଇଛି।