ରିଆମାଳ ବନାଞ୍ଚଳରେ ଚିତା ବାଘ ଆତଙ୍କ: ମଇଁଷି ମୃତଦେହ ଉଦ୍ଧାର

ଦେବଗଡ଼ /ରିଆମାଳ,ଏନ୍ଏନ୍ଏସ୍ : ଦେବଗଡ଼ ବନଖଣ୍ଡ ରିଆମାଳ ବନାଞ୍ଚଳ ପଳସମା ସେକ୍ସନ ଅନ୍ତର୍ଗତ ବ୍ରାହ୍ମଣୀପାଲି ଗାଁରେ ଚିତା ବାଘ ଆତଙ୍କ ଦେଖାଦେଇଛି। ଫଳରେ ଉକ୍ତ ଗାଁ ସମେତ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ମିଳିଥିବା ରିପୋର୍ଟ ମୁତାବକ, ବ୍ରାହ୍ମଣୀମାଳ ସମେତ ଆଖପାଖ ଗ୍ରାମବାସୀଙ୍କ ଛେଳି, ବଳଦ ଓ ମଇଁଷି ଆଦି ଗୃହପାଳିତ ପଶୁ ପ୍ରତିଦିନ ଗ୍ରାମର ଗୋଗୁଆ ସଂରକ୍ଷିତ ଜଙ୍ଗଲକୁ ଚରିବାକୁ ଯାଇଥାନ୍ତି। ଏହି କ୍ରମରେ ଗତ ଗୁରୁବାର ଦିନ ଗ୍ରାମର ଶିବ ଚରଣଦୀପଙ୍କ ଗୋଟିଏ ମଇଁଷି ଚରିବାକୁ ଯାଇ ଆଉ ଫେରିନଥିଲା। ଫଳରେ ମଇଁଷିକୁ ଖୋଜିବା ପାଇଁ ଶିବ ଉକ୍ତ ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ । ସେଠାରେ ମଇଁଷିଟି ମରି ପଡ଼ିଥିବା ଏବଂ ତା’ର ପଛ ପିଠିରେ ଗଭୀର କ୍ଷତ ହୋଇ ରକ୍ତ ବାହାରୁଥିବା ଦେଖି ଏହା କୌଣସି ଜନ୍ତୁ ଆକ୍ରମଣ କରିଥିବା ନିଶ୍ଚିତ ହୋଇ ଗ୍ରାମକୁ ଫେରିଆସି ଗ୍ରାମବାସୀ ଓ ବନପାଳ ସୁବାଷ ଚନ୍ଦ୍ର ଦେହୁରୀଙ୍କୁ ଜଣାଇଥିଲେ। ସୂଚନା ପାଇ ରିଆମାଳ ଫରେଷ୍ଟ ରେଞ୍ଜର ମହେନ୍ଦ୍ର କୁମାର ସାହୁ, ବନପାଳ ଶ୍ରୀ ଦେହୁରୀ ଓ ବନରକ୍ଷୀ ତରଣୀସେନ ଗଡ଼ନାୟକ ସଦଳବଳେ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ। ମଇଁଷିର ମୃତ ଶରୀରରେ ଥିବା କ୍ଷତ ଚିହ୍ନ ଓ ପାଖରେ ଥିବା ପାଦ ଚିହ୍ନକୁ ଦେଖି ଏହା ଚିତା ବାଘର ପାଦ ଚିହ୍ନ ବୋଲି ସନ୍ଦେହ କରି ମୃତଦେହ ସେଠାରେ ଛାଡ଼ି ପଳାଇ ଆସିଥିଲେ। ପର ଦିନ ପୁଣିଥରେ ବନ ବିଭାଗ ସଦଳବଳେ ଘଟଣାସ୍ଥଳକୁ ଯାଇ ମଇଁଷିଟି ଘଟଣାସ୍ଥଳରୁ ୧୦ ମିଟର ଦୂରରେ ପଡ଼ିଥିବା ଦେଖିଥିଲେ। ସେଥିପାଇଁ ଗତକାଲି ବନ ବିଭାଗ ପକ୍ଷରୁ ଉକ୍ତ ସ୍ଥାନରେ କ୍ୟାମେରା ଖଞ୍ଜାଯାଇ ବାଘର ସ୍ଥିତି ଓ ଅବସ୍ଥିତି ସମ୍ପର୍କରେ ନଜର ରଖାଯାଇଛି। ଏନେଇ ଦେବଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀମତୀ କ୍ଷମା ଷଡ଼ଙ୍ଗୀଙ୍କ ମତାମତ ନେବାରୁ ସେ ଘଟଣାକୁ ସ୍ୱୀକାର କରିବା ସହ ଖୁବଶୀଘ୍ର ବାଘର ଅବସ୍ଥିତି ସମ୍ପର୍କରେ ତଥ୍ୟ ହସ୍ତଗତ ହୋଇଯିବ ବୋଲି ପ୍ରକାଶ କରିଛନ୍ତି।