କ୍ୟାଡର ନକ୍ସଲ ଓ ସହଯୋଗୀ ଅଟକ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ପୁଲିସ ଜଣେ କ୍ୟାଡର ନକ୍ସଲ ଓ ଅନ୍ୟଜଣେ ସହଯୋଗୀକୁ ଅଟକ ରଖିଥିବା ଜଣାପଡ଼ିଛି। ପୁଲିସ ଏସମ୍ପର୍କରେ ବିଶେଷ କିଛି ସୂଚନା ଦେଇ ନଥିଲେ ମଧ୍ୟ ଅଟକ କ୍ୟାଡର ନକ୍ସଲ ଜଣକ କେକେବିଏନର ବୋଲି ଜଣାପଡ଼ିଛି। ଅଟକ ମାଓବାଦୀର ନାଁ ସୁଜନ ବୋଲି କୁହାଯାଉଛି। ଉଭୟ ବଲାଙ୍ଗିର ଓ କନ୍ଧମାଳ ପୁଲିସ ତାକୁ ପଚରାଉଚରା କରୁଛି। ମିଳିଥିବା ରିପୋର୍ଟ ମୁତାବକ, ବଲାଙ୍ଗିର ଓ କନ୍ଧମାଳ ସୀମାନ୍ତବର୍ତ୍ତୀ ଗୁଡ଼ଭେଲା ଅଞ୍ଚଳରୁ ତାକୁ ଧରାଯାଇଥିଲା। ସେ ତା’ର ଜଣେ ସହଯୋଗୀ ସହିତ କନ୍ଧମାଳରୁ ବଲାଙ୍ଗିର ଜିଲ୍ଲାର ମାଓପ୍ରବଣ ଖପ୍ରାଖୋଲ ଅଞ୍ଚଳକୁ ଯାଉଥିବା ସମୟରେ ବଲାଙ୍ଗିର ପୁଲିସ ହାତରେ ଧରାପଡ଼ିଥିଲା।

ସୂଚନାଯୋଗ୍ୟ, ଗତକାଲି ୩ଜଣ ନକ୍ସଲ ଆତ୍ମମସର୍ପଣ କରିଥିଲେ। ଜଣେ ମହିଳାଙ୍କ ସମେତ ୨ଜଣ ନକ୍ସଲ ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟରେ ଡିଜିପି ଅଭୟଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ସେହିପରି ଅନ୍ୟଜଣେ ନକ୍ସଲ କୋରାପୁଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।