ରାୟଗଡ଼ା,ଏନ୍ଏନ୍ଏସ୍: ସାରା ରାଜ୍ୟରେ ଶିଶୁ ଅପହରଣକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ରାୟଗଡ଼ାରେ ମଧ୍ୟ ଏଭଳି ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ପାରିବାରିକ କଳହକୁ ନେଇ ନିଜର ୩ ବର୍ଷର ଝିଅକୁ ଅପହରଣର ନାଟକ କରି ଶେଷରେ ଜେଲ ଗଲା ବାପା। ଏଭଳି ଅମାନବୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ସଦର ମହକୁମାରେ। ରାୟଗଡ଼ା ସହର ତଳି ଆମ୍ବାଗୁଡ଼ାର ଦୋରା କଣ୍ଡାଗରି ନିଜ ପ୍ରଥମ ସ୍ତ୍ରୀର ଦୁଇ ଭାଇ ଉପରେ ରାଗ ସୁଝାଇବାକୁ ଯାଇ ନିଜ ଝିଅର ଅପହରଣ ନାଟକ କରିଥିଲା। ଏନେଇ ଦୋରା କଣ୍ଡାଗରିଙ୍କ ମା ପୁଲମା କଣ୍ଡାଗରି ଗତ ୧୫ ତାରିଖ ଦିନ ନିଜ ନାତୁଣୀର ଅପହରଣ ନେଇ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଯେଉଁଥିରେ ପୁଅର ପ୍ରଥମ ସ୍ତ୍ରୀର ଦୁଇଭାଇର ସମ୍ପୃକ୍ତ ଥିବା ନେଇ ଅଭିଯୋଗ କରିଥିଲେ। ତେବେ ପୁଲିସ ତଦନ୍ତ କରି ବାପା ହିଁ ନିଜ ଝିଅର ଅପହରଣ କରିଥିବା ଘଟଣାର ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ରାୟଗଡ଼ା ପୁଲିସ ଗୁମ୍ମା ପଞ୍ଚାୟତ ଅନ୍ତର୍ଗତ କଣବେସା ଗ୍ରାମରୁ ନାବାଳିକା ଝିଅକୁ ଉଦ୍ଧାର କରିବା ସହ ଅପହୃତ ବାପା ଦୋରା କଣ୍ଡାଗରି ଓ ତାର ସହଯୋଗୀ ଗଜେନ୍ଦ୍ର ହୁଇକାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହା ସହ ତାଙ୍କ ନିକଟରୁ ଏହି ଅପହରଣରେ ବ୍ୟବହୃତ ମୋଟର ସାଇକେଲକୁ ପୁଲିସ ଜବତ କରିଛି। ଉଦ୍ଧାର ଶିଶୁକୁ ତାର ନିଜ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ରାୟଗଡ଼ା ଏସପି ଡ଼. ଶ୍ରବଣ ବିବେକ ଏମ କହିଛନ୍ତି।