କେନ୍ଦୁଝରର ବଲଦା ଖଣି ସମ୍ମୁଖରେ ଧାରଣା ଜାରି, ପ୍ରିମିୟମ ବାବଦରେ ୪ ଦିନରେ ୭୫ କୋଟି ରାଜସ୍ୱ କ୍ଷତି

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ବଲଦା ଖଣିର ମୁଖ୍ୟ ଫାଟକ ସମ୍ମୁଖରେ ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କ ଧାରଣା ଯୋଗୁଁ ଲୁହାପଥର ପରିବହନ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଦୀର୍ଘ ୪ ଦିନ ଧରି ଲୁହାପଥର ପରିବହନ ହୋଇ ନପାରିବାରୁ ରାଜ୍ୟ ସରକାର ପ୍ରିମିୟମ ବାବଦରେ ପ୍ରାୟ ୭୫ କୋଟି ଟଙ୍କା ରାଜସ୍ୱ ହରାଇଥିଲେ ମଧ୍ୟ ଜିଲ୍ଳା ପ୍ରଶାସନ ନିରବ ହୋଇ ବସିଛି। ଏପରିକି କେତେକ ଇସ୍ପାତ କାରଖାନା ଏହି ଖଣିରୁ ପାଇବାକୁ ଥିବା ଲୁହାପଥର ଅଭାବରୁ ଘୋର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ଅନୁସନ୍ଧାନରୁ ଜଣାଯାଇଛି ଯେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁଯାୟୀ ଚଳିତ ବର୍ଷ ରାଜ୍ୟ ସରକାର ଯେଉଁ ଅନଲାଇନ ଟେଣ୍ଡର କରିଥିଲେ ସେଥିରେ ସିରାଜୁଦ୍ଦିନ କମ୍ପାନୀ ବଲଦା ଖଣିକୁ ୧୧୮.୦୫ ପ୍ରତିଶତ ପ୍ରିମିୟମରେ ୫୦ ବର୍ଷ ପାଇଁ ଲିଜ୍ ନେଇଛି। ଚଳିତ ବର୍ଷ କୋଭିଡ ଯୋଗୁଁ ଦେଶର ବହୁ ଇସ୍ପାତ କାରଖାନା କଞ୍ଚାମାଲ ଅଭାବରୁ ଘୋର ସଙ୍କଟ ମଧ୍ୟରେ ଗତି କରୁଛନ୍ତି। ତେଣୁ ବିଭିନ୍ନ ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ଅନୁରୋଧକ୍ରମେ ସିରାଜୁଦ୍ଦିନ କମ୍ପାନୀ ରାଜ୍ୟ ସରକାରଙ୍କ ଗାଇଡଲାଇନକୁ ଆଧାର କରି ଲୁହାପଥର ଉତ୍ତୋଳନ କାର୍ଯ୍ୟ ଜାରି ରଖିଛି। କମ୍ପାନୀ ବିଭିନ୍ନ ଇସ୍ପାତ କାରଖାନାର ଚାହିଦା ମେଣ୍ଟାଇବା ପାଇଁ ହଜାର ହଜାର ଟନ୍ ଲୁହାପଥର ଉତ୍ତୋଳନ କରି ଷ୍ଟକ୍ୟାର୍ଡରେ ମହଜୁଦ ରଖିଛି। ପୁରା ଲୁହାପଥର ପରିବହନ କାର୍ଯ୍ୟକୁ ହାତେଇବା ପାଇଁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି କମ୍ପାନୀ ଉପରେ ଚାପ ପ୍ରୟୋଗ କରୁଥିଲେ। କିନ୍ତୁ କମ୍ପାନୀ ତାହାକୁ ପ୍ରତ୍ୟାଖ୍ୟାନ କରି ଖଣି ନିକଟରେ ଥିବା ୪ଟି ପଞ୍ଚାୟତର ଲୋକଙ୍କ ମଧ୍ୟରେ ପରିବହନ କାର୍ଯ୍ୟକୁ ସମାନୁପାତରେ ବାଣ୍ଟି ଦେଇଛି। ଅର୍ଥାତ୍ ପଲସା, ନୟାଗଡ଼, କାଳିମାଟି ଓ ବଲଦା ପଞ୍ଚାୟତକୁ ୨୫ ପ୍ରତିଶତ ହାରରେ ପରିବହନ କାମ ଦିଆଯାଇଛି। ସ୍ଥାନୀୟ ଅଞ୍ଚଳର ଶହ ଶହ ବେକାର ଯୁବକ ବ୍ୟାଙ୍କରୁ ଋଣ ନେଇ ଟ୍ରକ୍ ଓ ଡମ୍ଫର ଇତ୍ୟାଦି କିଣିଛନ୍ତି। ତେଣୁ ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ନିଷ୍ପତ୍ତି ନେଇଛି।

ଗତ ୧୫ ତାରିଖଠାରୁ ଖଣିରୁ ଲୁହାପଥର ବିଭିନ୍ନ ଇସ୍ପାତ କାରଖାନା ଓ ଅନ୍ୟାନ୍ୟ ସଂସ୍ଥାକୁ ପରିବହନ ହୋଇଥାନ୍ତା। ହେଲେ ବଲଦା ପଞ୍ଚାୟତର କିଛି ଲୋକ ୮୦ ପ୍ରତିଶତ ପରିବହନ କାମ ପାଇବାକୁ ଦାବି କରି ହଠାତ୍ ଖଣିର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସି ରହିଥିଲେ। ଏଭଳି ଦାବି କମ୍ପାନୀ ପାଇଁ ଗ୍ରହଣ କରିବା ସମ୍ଭବ ନଥିଲା। କାରଣ ବଲଦା ପଞ୍ଚାୟତର ଦାବି ଗ୍ରହଣ କଲେ ଅନ୍ୟ ୩ ପଞ୍ଚାୟତ ପ୍ରତି ଅନ୍ୟାୟ ହେବ ବୋଲି କମ୍ପାନୀ ବିବେଚନା କରି ଏହି ଦାବିକୁ ଅଗ୍ରାହ୍ୟ କରିଥିଲା। ବଲଦା ପଞ୍ଚାୟତର ଲୋକେ ୨୫ ପ୍ରତିଶତ ପରିବହନ ପାଇଁ ପ୍ରଥମେ ରାଜି ହୋଇଥିଲେ ମଧ୍ୟ ପରେ ଏହି ନ୍ୟସ୍ତସ୍ୱାର୍ଥ ଲୋକଙ୍କ ପ୍ରରୋଚନାରେ ନିଷ୍ପତ୍ତି ବଦଳାଇଥିଲେ। ଏବେ ଏହି କୁଚକ୍ରୀ ଲୋକଙ୍କ ସହାୟତାରେ ବଲଦା ପଞ୍ଚାୟତର ୨୫/୩୦ ଲୋକ ଧାରଣା ଜାରି ରଖିଛନ୍ତି। ବାମବେରୀ ଥାନାରେ କମ୍ପାନୀ ପକ୍ଷରୁ ଏତଲା ଦିଆଯାଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ବରଂ ପୁଲିସ ଧାରଣାକାରୀଙ୍କୁ ସୁରକ୍ଷା ଦେଇ ଚାଲିଛି। ଏପରିକି ଜିଲ୍ଲା ପ୍ରଶାସନ ମଧ୍ୟ ନିରବ ରହିଛି। ଜିଲ୍ଲାପାଳ ବା ଏସ୍‌ପି ଏ ସଂପର୍କରେ କିଛି ପଦକ୍ଷେପ ନେଇନାହାନ୍ତି।

କମ୍ପାନୀ ସୂତ୍ରରୁ ଜଣାଯାଇଛି ଯେ ପ୍ରତିଦିନ ବଲଦା ଖଣିରୁ ଯେତିକି ଲୁହାପଥର ପରିବହନ ପାଇଁ ଅନୁମତି ମିଳିଛି ସେଥିରୁ ରାଜ୍ୟ ସରକାର ୧୮ କୋଟି ୭୫ ଲକ୍ଷ ଟଙ୍କା ପ୍ରିମିୟମ୍ ପାଇବେ। ଲୁହାପଥର ପରିବହନ ହୋଇ ନପାରିବାରୁ ସରକାର ଏହି ୪ ଦିନ ମଧ୍ୟରେ ପ୍ରାୟ ୭୫ କୋଟି ଟଙ୍କାର ରାଜସ୍ୱ ହରାଇଲେଣି। ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ଖଣିରୁ ଲୁହାପଥର ପରିବହନ କ୍ଷେତ୍ରରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ଯେଉଁ ଇସ୍ପାତ କାରଖାନା ଓ ବିଭିନ୍ନ ସଂସ୍ଥା ଲୁହାପଥର ପାଇବାକୁ ଅପେକ୍ଷା କରିଥିଲେ ସେମାନେ ମଧ୍ୟ ହତାସ୍ ହୋଇଛନ୍ତି। କେତେକ ଇସ୍ପାତ କାରଖାନା ଉତ୍ପାଦନ ବନ୍ଦ କରିବା ସ୍ଥିତିକୁ ଆସି ଯାଇଛନ୍ତି।

ସୂଚନାଯୋଗ୍ୟ ଯେ ସିରାଜୁଦ୍ଦିନ କମ୍ପାନୀ ରାଜ୍ୟର ସବୁଠାରୁ ପୁରୁଣା କହିଲେ ଅତ୍ୟୁକ୍ତି ହେବ ନାହିଁ। ଦୀର୍ଘ ୧୦୦ ବର୍ଷ ଧରି କମ୍ପାନୀ ଏହି କାର୍ଯ୍ୟ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଶହ ଶହ କୋଟି ଟଙ୍କାର ରାଜସ୍ୱ ଦେଇଛି। ପାରିପାର୍ଶ୍ବିକ ଅଞ୍ଚଳର ବିକାଶ କ୍ଷେତ୍ରରେ କମ୍ପାନୀ କେବେ ହେଲେ ଅବହେଳା କରିନାହିଁ। ବରଂ ଅଯାଚିତ ଭାବେ କମ୍ପାନୀ ବିଭିନ୍ନ ଅନୁଷ୍ଠାନକୁ ସାହାଯ୍ୟ ସହଯୋଗ କରି ଆସିଛି। କେନ୍ଦୁଝରର ଡି ଡି କଲେଜ ଭଳି ବହୁ ପୁରାତନ ଅନୁଷ୍ଠାନ କମ୍ପାନୀର ପୃଷ୍ଠପୋଷକତାରେ ଚାଲି ଆସିଛି। ଅସହାୟ ଲୋକଙ୍କୁ ସହାୟତା ଦେବାକୁ କମ୍ପାନୀ କର୍ତ୍ତୃପକ୍ଷ କେବେ ହେଲେ କାର୍ପଣ୍ୟ କରିନାହାନ୍ତି। ବନୀକରଣ କାର୍ଯ୍ୟରେ କମ୍ପାନୀ ସବୁବେଳେ ସ୍ଥାନୀୟ ଲୋକଙ୍କ ପ୍ରଶଂସାର ପାତ୍ର ହୋଇଛି। ଜାତୀୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସୁପର କପ୍ ହେଉ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକ୍ରମ, ସବୁ କ୍ଷେତ୍ରରେ କମ୍ପାନୀ ସହାୟତା ଦେଇ ଆସିଛି। ତଥାପି କିଛି ସ୍ୱାର୍ଥପର ଲୋକଙ୍କ ଯୋଗୁଁ କମ୍ପାନୀର କାମ ବାଧାପ୍ରାପ୍ତ ହେଉଛି। ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ଦୃଷ୍ଟି ଦେବେ ବୋଲି କମ୍ପାନୀ କର୍ତ୍ତୃପକ୍ଷ ଆଶାପୋଷଣ କରିଛନ୍ତି।