ନୀଳଗିରି: ଏକବିଂଶ ଶତାବ୍ଦୀରେ ସଭ୍ୟସମାଜ ଘୃଣ୍ୟ ମାନସିକତାର ବଶବର୍ତ୍ତୀ ହୋଇ ଏବଂ ନର ପିଶାଚ ସାଜି ନିଜ ଶିଶୁକନ୍ୟାକୁ ଅଲୋଡ଼ା ଭାବି ହତ୍ୟା କରିବାକୁ ପଛାଉ ନାହିଁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ସିଙ୍ଗିରି ଗ୍ରାମରେ । ପିଶାଚ ପିତା ହେଉଛି ବାଲେଶ୍ୱର ମଲ୍ଲିକାଶପୁର ଅଞ୍ଚଳର ଚନ୍ଦନ କୁମାର ମହାର୍ଣ୍ଣା । ୨୦ ଦିନ ତଳେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଚନ୍ଦନଙ୍କ ସ୍ତ୍ରୀ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ । ପରେ ଶିଶୁକନ୍ୟା ସହ ମା’ନିଜ ବାପଘର ସିଙ୍ଗିରିରେ ରହୁଥିଲେ ।
ମଙ୍ଗଳବାର ଶିଶୁକନ୍ୟାର ଏକୋଇସିୟା ପାଇଁ ପରିବାର ଲୋକ ବ୍ୟସ୍ତ ଥିବା ବେଳେ ରବିବାର ଶିଶୁକନ୍ୟାର ପିତା ଚନ୍ଦନ ଶଶୁର ଘର ସିଂଗିରିରେ ରାତ୍ରି ଯାପନ କରିଥିଲେ । ସୋମବାର ସକାଳେ ଶିଶୁର ମା’ ପାଇଖାନା ଯାଇଥିବା ବେଳେ ପୂର୍ବରୁ ପ୍ରସ୍ତୁତଥିବା ଚନ୍ଦନ ଶିଶୁକନ୍ୟାକୁ ବିଷ ଇଞ୍ଜେକ୍ସନ ଦେଇଥିଲା । ଫଳରେ ଶିଶୁଟି ଚିତ୍କାର କରିଥିଲା । ଚିତ୍କାର ଶୁଣି ମା’ଘଟଣାସ୍ଥଳରେ ପହଞ୍ଚି ଝିଅ କାହଁକି କାନ୍ଦୁଛି ବୋଲି ପ୍ରଶ୍ନ କରିଥିଲେ ଏବଂ ଶିଶୁ କନ୍ୟାର ରକ୍ତାକ୍ତ ହାତକୁ ଦେଖି ପାଟି କରିବାରୁ ଘରଲୋକ ରୁଣ୍ଡହୋଇ ଯାଇଥିଲେ । ଝିଅ ରକ୍ତାକ୍ତ ହେବାର କାରଣ ପଚାରିବାରୁ ଚନ୍ଦନ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ । ଝିଅର ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଡାକ୍ତରଖାନାକୁ ନିଆଯାଇଥିଲା । ଝିଅକୁ ବିଷ ଦିଆଯାଇଥିବା ଡାକ୍ତର କହିବା ପରେ ପରିବାର ଲୋକ ଚନ୍ଦନକୁ ବାରମ୍ବାର ପଚରାଉଚରା କରିବାପରେ ଚନ୍ଦନ ବିଷ ଇଞ୍ଜେକ୍ସନ ଦେଇଥିବା ମାନିଥିଲେ । ଶିଶୁକନ୍ୟାକୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ସେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛି । ଅଭିଯୁକ୍ତ ପିତା ଚନ୍ଦନକୁ ନୀଳଗିରି ପୁଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।