ପଞ୍ଚମ ଟାଇଟଲ ହାତେଇଲା ଚେନ୍ନାଇ, ଟାଇଟନ୍ସ ସ୍ବପ୍ନ ଧୂଳିସାତ୍

ଅହମ୍ମଦାବାଦ: ଶେଷ ଦୁଇ ବଲ୍‌ରେ ୬ ଓ ୪ ମାରି ଚେନ୍ନାଇ ସୁପର କିଙ୍ଗସକୁ ବିଜୟ ଭେଟି ଦେଇଥିଲେ । ଦ୍ବିତୀୟ ଟାଇଟଲ ସ୍ବପ୍ନ ଦେଖୁଥିବା ୫ ୱିକେଟରେ ପରାସ୍ତ ହୋଇ ଗୁଜୁରାଟ ଟାଇଟନ୍ସ ନିରାଶ ହୋଇଥିଲା । ଏହାପରେ ଚେନ୍ନାଇର ଆରମ୍ଭ ହୋଇଯାଇଥିଲା ବିଜୟ ସେଲିବ୍ରେସନ । ପ୍ରଶଂସକ ଆତ୍ମବିଭୋର ହୋଇ ଉଠିଥିଲେ । ଆତସବାଜିରେ ଆକାଶ ରଙ୍ଗୀନ ହୋଇଥିଲା । ପଞ୍ଚମ ଥର ପାଇଁ ଆଇପିଏଲ ଟ୍ରଫି ଜିତି ଇତିହାସ ରଚିଛି ଚେନ୍ନାଇ ସୁପର କିଙ୍ଗ୍‌ସ୍‌ । ୨୫ ବଲ୍‌ରେ ୪୭ ରନ୍‌ କରିଥିଲା ଡେଭନ କନ୍‌ୱେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ଟସ୍‌ ଜିତି ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆରମ୍ଭ ହୋଇଥିଲା ମହାମୁକାବିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଗୁଜୁରାଟ ୪ ୱିକେଟ ହରାଇ ୨୧୪ ରନ କରିଥିଲା । ଦୁଇ ଓପନର ଶୁଭମନ ଗିଲ୍‌ ଓ ରିଦ୍ଧିମାନ ଶାହ ଦମଦାର ଆରମ୍ଭ କରିଥିଲେ । ଶୁଭମନ ଗିଲ ୩୯ ରନ କରି ଷ୍ଟମ୍ପିଂ ହୋଇଥିଲେ । ପରେ ପରେ ରିଦ୍ଧିମାନ ଶାହା ୩୯ ବଲରେ ୫୪ ରନ କରି ଆଉଟ ହୋଇଥିଲେ । ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ସାଇ ସୁଦର୍ଶନ ଦଳୀୟ ସ୍କୋର୍‌କୁ ଆଗକୁ ନେଇଥିଲେ । ଦଳ ପାଇଁ ସାଇ ସୁଦର୍ଶନ ଦମଦାର ବ୍ୟାଟିଂ କରିଥିଲେ । ପଡ଼ିଆରେ ଚୌକା ଛକା ବର୍ଷା କରିଥିଲେ । ୪୭ ବଲ୍‌ରୁ ୮ ଚୌକା ଓ ୬ ଛକା ସହ ୯୬ ରନ୍‌ କରିଥିଲେ । ୯୬ ରନ୍‌ କରି ଆଉଟ୍‌ ହୋଇଥିଲେ ସୁଦର୍ଶନ । ଶତକରୁ ବଞ୍ଚିତ ଥିଲେ ମାତ୍ର ଦଳ ପାଇଁ ବିଶାଳ ରନ୍‌ ସ୍କୋର କରିଥିଲେ । ପରେ ପିଚ୍‌କୁ ଆସିଥିଲେ ରାସିଦ ଖାନ । ସେ ଖାତା ଖୋଲି ନପାରି ଆଉଟ ହୋଇଥିଲେ । ଚେନ୍ନାଇକୁ ୨୧୫ ରନ ଟାର୍ଗେଟ ମିଳିଥିଲା । ଚେନ୍ନାଇ ପକ୍ଷରୁ ଦୀପକ ଚହର, ଜାଡେଜା ଓ ପଥିରଣା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

୨୧୫ ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଚେନ୍ନାଇ ସୁପର କିଙ୍ଗସ । ପ୍ରଥମ ଓଭର ବ୍ୟାଟିଂ କରୁଥିବା ସମୟରେ ଅଚାନକ ବର୍ଷା ହୋଇଥିଲା । ଏହା ପରେ ମ୍ୟାଚ ଦୀର୍ଘ ସମୟ ପାଇଁ ବନ୍ଦ ରହିଥିଲା । ବର୍ଷା ଛାଡିଥିଲା ହେଲେ ସମୟ କମ୍‌ ଥିଲା । ତେଣୁ ଡିଏଲ ପ୍ରଣାଳୀ ବା ଡକୱାର୍ଥ ଲୁଇସ ନିୟମ ଅନୁସାରେ ଚେନ୍ନାଇକୁ ୧୫ ଓଭରରେ ୧୭୧ ରନ କରିବାକୁ ଟାର୍ଗେଟ ମିଳିଥିଲା । ଦଳ ପକ୍ଷରୁ ଋତୁରାଜ ଗାଏକ୍ବାଡ ୧୬ ବଲରେ ୨୬, ଡେଭନ କନୱେ ୨୫ ବଲରେ ୪୭ ରନ ଓ ଶିବମ ଦୁବେ ଅପରାଜିତ ୩୨ ରନ କରିଥିଲେ । ଶିବମ ଓ ରାହାଣେ ଦଳୀୟ ସ୍କୋର୍‌କୁ ଆଗକୁ ନେଇଥିଲେ । ରାହଣେ ୨୨ ରନ୍‌ କରି ଆଉଟ ହୋଇଥିଲେ । ଶେଷ ୨ ବଲ୍‌ରେ ଜିତିବାକୁ ଚେନ୍ନାଇକୁ ୧୦ ରନ୍‌ ଆବଶ୍ୟକ କରୁଥିଲା । ଶେଷ ୨ ବଲରେ ଗୋଟିଏ ଛକା ଓ ଗୋଟିଏ ଚୌକା ମାରି ଦଳକୁ ଜିତାଇଥିଲେ ଜାଡେଜା । ୫ ୱିକେଟ ହରାଇ ଚେନ୍ନାଇ ଟାର୍ଗେଟ ହାସଲ କରିଥିଲା । ବିଜୟ ଲକ୍ଷ୍ୟ, ବର୍ଷା ବାଧକ ଓ ବିଳମ୍ବିତ ରାତିରେ ବି ଚେନ୍ନାଇ ତାର ଫ୍ୟାନ୍ସଙ୍କୁ ନିରାଶ କରିନଥିଲା । ସବୁ ପରିସ୍ଥିତିର ମୁକାବିଲା କରି ଚମ୍ପିଆନ ଆଖ୍ୟା ଅର୍ଜନ କରିଛି ଅଭିଜ୍ଞ ଅଧିନାୟ ମହେନ୍ଦ୍ର ସିଂହ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ । ଗୁଜୁରାଟ ପକ୍ଷରୁ ମୋହିତ ଶର୍ମା ୩ଟି ୱିକେଟ ନେଇଥିବା ବେଳେ ନୁର ୨ଟି ୱିକେଟ ନେଇଥିଲେ । ଆଉ କୌଣସି ବୋଲର ୱିକେଟ ନେବାରେ ସଫଳ ହୋଇ ପାରନଥିଲେ ।