ଦୁଷ୍କର୍ମ ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଓ ଜୋରିମାନା ଦଣ୍ଡାଦେଶ ଦେଲେ ଫାଷ୍ଟଟ୍ରାକ୍ କୋର୍ଟ

ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମରେ ଗତ ୨୦୧୪ ମସିହାରେ ହୋଇଥିବା ଏକ ଦୁଷ୍କର୍ମ ଅଭିଯୋଗ ପରେ ରିଆମାଳ ଥାନାରେ ଗତ ୨୦୧୪ ମାର୍ଚ୍ଚ ୧୮ ତାରିଖ ଦିନ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ଅଭିଯୋଗ କାରିଣୀ ପୁରୁଣାପାଣି ଗ୍ରାମର ସୁଷମା ମୁଣ୍ଡା(ଛଦ୍ମନାମ)ଙ୍କ ରିପୋର୍ଟ ଆଧାରରେ ରିଆମାଳ ଥାନା ପୁଲିସ କେସ୍ ନଂ-୫୨/୧୪/୩/୨୦୧୪ ରେ ଦୁଷ୍କର୍ମ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ସେହିଦିନ ଠାରୁ ଅଭିଯୁକ୍ତ ସାନୁ ମୁଣ୍ଡା ଫେରାର ହୋଇଯାଇଥିଲା। ମାମଲା ଫାଷ୍ଟଟ୍ରାକ୍ କୋର୍ଟରେ ବିଚାରାଧୀନ ଥିବା ବେଳେ ଅଭିଯୁକ୍ତ ଫେରାର ଥିବା କାରଣରୁ ମାନ୍ୟବର ଅଦାଲତ ଅଭିଯୁକ୍ତ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ।

ଫେରାର ଅଭିଯୁକ୍ତକୁ ୭ ବର୍ଷ ପରେ ରିଆମାଳ ଥାନା ପୁଲିସ ଗତ ୧୨ ତାରିଖ ଦିନ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାନ୍ୟବର କୋର୍ଟ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଏହି ମାମଲାକୁ ବିଚାର କରି ଦେବଗଡ଼ ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ରମାକାନ୍ତ ମହାନ୍ତି ଅଭିଯୁକ୍ତ ସାନୁ ମୁଣ୍ଡାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫୦୦୦ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ଦଣ୍ଡାଦେଶ ପରେ ମାମଲାର ତଦନ୍ତ କରିଥିବା ତତ୍କାଳୀନ ତଦନ୍ତକାରୀ ଅଧିକାରୀ ମହିଳା ସବ ଇନ୍ସପେକ୍ଟର ସନ୍ତୋଷୀ ମହାନ୍ତଙ୍କୁ ପୁଲିସ ବିଭାଗ ତରଫରୁ ପ୍ରଶଂସା କରାଯାଇଛି। ଏହି ମାମଲାକୁ ସରକାରୀ ଓକିଲ ସଂଯୁକ୍ତା ମିଶ୍ର ପରିଚାଳନା କରୁଥିଲେ।