ଦେବଗଡ଼ରେ ନିଅଣ୍ଟିଆ ବର୍ଷା ଯୋଗୁ ମରୁଡ଼ି ଆଶଙ୍କାରେ ଚାଷୀ

ଦେବଗଡ଼,ଏନ୍ଏନ୍ଏସ୍: କୃଷିପ୍ରଧାନ ଦେବଗଡ଼ ଜିଲ୍ଲାରେ ଚାଷୀ ମୁଖ୍ୟତଃ ଧାନ ଚାଷ ଉପରେ ନିର୍ଭରଶୀଳ। ମାତ୍ର ପାଣିପାଗ ପରିବର୍ତ୍ତନ ଫଳରେ ଅସାମାନ୍ୟ ବୃଷ୍ଟିପାତ ଯୋଗୁ କୃଷି କାର୍ଯ୍ୟ ପ୍ରଭାବିତ ହେବା ସହ ଅନିଶ୍ଚିତ ଭବିଷ୍ୟତ ଦେଇ ଚାଷୀ ଗତି କରୁଛନ୍ତି। ଏହି କ୍ରମରେ ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ କଂସର, ସଢ଼ୋ, କେନ୍ଦେଇଜୁରୀ, ଦୁଧିଆନାଳୀ, ଢୋଲପଡ଼ା ଓ ଝରାଗୋଗୁଆ ପଂଚାୟତର ଶତାଧିକ ଗ୍ରାମରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ଅନେକ ଅଞ୍ଚଳରେ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରି ନଥିବାବେଳେ ଆଉ କେତେକ ସ୍ଥାନରେ ରୁଆ କାର୍ଯ୍ୟ ମଧ୍ୟ ସରିନାହିଁ। ସେହିପରି ଯେଉଁ ସବୁ ଜମିରେ ରୁଆ କାର୍ଯ୍ୟ ସରିଥିଲା ବର୍ଷା ଅଭାବ ଯୋଗୁ ସେସବୁ ଚାଷ ଜମି ଫାଟି ଆଁ କରିଛି।

ଜିଲ୍ଲା କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଜିଲ୍ଲାର ତିଲେଇବଣୀ ବ୍ଲକ ଅଂଚଳରେ ଚଳିତ ବର୍ଷ ୧୧ହଜାର ୯୭୦ ହେକ୍ଟର ଚାଷ ଜମିରେ ଧାନ ଫସଲ କରାଯିବାର ଲକ୍ଷ୍ୟ ରଖା ଯାଇଥିବାବେଳେ ଆଜିସୁଦ୍ଧା ୧୧ହଜାର ୭୨୨ ହେକ୍ଟର ଚାଷ ଜମିରେ ଚାଷ କାର୍ଯ୍ୟ ହୋଇଛି। ସେହିପରି ୨୪୦ରୁ ଉର୍ଦ୍ଧ୍ୱ ହେକ୍ଟର ଚାଷ ଜମିରେ ପାଣି ଅଭାବରୁ ଚାଷ କାର୍ଯ୍ୟ କରାଯାଇ ପାରିନଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବାଳକୃଷ୍ଣ ଗୌଡ଼ ପ୍ରକାଶ କରିଛନ୍ତି। ଅଗଷ୍ଟ ମାସରେ ତିଲେଇବଣୀ ବ୍ଲକରେ ସାମନ୍ୟ ବର୍ଷାର ପରିମାଣ ୪୪୩ ମିଲି ରହିଥିବାବେଳେ ଚଳିତ ମାସରେ ଏହା ମାତ୍ର ୧୧୨ ମିଲି ରହିଛି। ଫଳରେ ୭୫ ପ୍ରତିଶତ କମ୍ ବର୍ଷା ଯୋଗୁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ରିଆମାଳ ବ୍ଲକର ବୁଡ଼ିଦୋ, କରଲଗା ଓ ବୁଢ଼ାପାଲ ପଂଚାୟତର ବିଭିନ୍ନ ଗ୍ରାମରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ପରିସ୍ଥିତି ସଙ୍ଗୀନ ରହିଛି। ଆଗାମୀ ସପ୍ତାହକ ମଧ୍ୟରେ ଉପରୋକ୍ତ ଅଞ୍ଚଳରେ ବର୍ଷା ନ ହେଲେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଏ ସମ୍ପର୍କରେ କଂସର ସେବା ସମବାୟ ସମିତି ସମ୍ପାଦକ ଚକ୍ରଧର ବେହେରାଙ୍କୁ ପଚାରିବାରୁ ଉକ୍ତ ସେବା ସମବାୟ ସମିତିରେ କଂସର ଓ ଢୋଲପଡ଼ା ପଂଚାୟତର ଚାଷୀଙ୍କୁ ନେଇ କାର୍ଯ୍ୟ କରୁଥିବାବେଳେ ଶତାଧିକ ଚାଷୀ ଉକ୍ତ ସେବା ସମବାୟ ସମିତିରୁ ଋଣ କରି ଧାନ ଚାଷ କରିବା ସହ ସାର ମଧ୍ୟ କିଣିଥିଲେ। ମାତ୍ର ବର୍ଷା ଅଭାବରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବା ଫଳରେ ଚାଷୀ ନେଇଥିବା ସାର ବ୍ୟବହାର କରିନପାରି ଘରେ ରଖିଥିବା ପ୍ରକାଶ କରିଥିଲେ। ସେହିପରି ତେଣ୍ଡରାକଟା, କଂସର, ଲଇଣ୍ଡା, ପାଲୁଣିପଡ଼ା ଓ ତଂପୁର ଆଦି ଗ୍ରାମରେ ୩୦ ପ୍ରତିଶତରୁ କମ୍ ଚାଷ କାର୍ଯ୍ୟ ହୋଇପାରିଛି। ଅନ୍ୟପଟେ ଗୋହିରା ମଧ୍ୟମ ଜଳସେଚନ ପ୍ରକଳ୍ପର ଉପର ମୁଣ୍ଡରେ ବର୍ଷା ନ ହେବା ଯୋଗୁ ଉକ୍ତ ଅଂଚଳରେ ଥିବା କେନାଲ ମଧ୍ୟ ଶୁଖିଲା ପଡ଼ିଛି। ଏଭଳି ପରିସ୍ଥିତିରେ ଚାଷୀ ହାତ ଟେକି ଭଗବାନଙ୍କ ଉପରେ ଭରଷା କରିଥିବା ବହୁଚାଷୀ ମତବ୍ୟକ୍ତ କରିଛନ୍ତି।