ପଇଡ଼ ବୋଝେଇ ଟ୍ରକରୁ ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: ମାଛକୁଣ୍ଡ ପୁଲିସ ଏକ ପଇଡ଼ ବୋଝେଇ ଟ୍ରକରୁ ୭୦୧ କିଲୋ ୪୦୦ ଗ୍ରାମ୍ ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଥିବା ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଗିରଫ ବ୍ୟକ୍ତିମାନେ ବିହାରର ଗୋପାଳଗଞ୍ଜ ଅଞ୍ଚଳର ଯୋଗେନ୍ଦ୍ର ତିୱାରୀ(୬୦) ଓ ସିବାନ୍ ଅଞ୍ଚଳର ଶିବ ଶଙ୍କର ଚୌଧୁରୀ(୫୦) ବୋଲି ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, ମାଛକୁଣ୍ଡ ଥାନା ସଗର ଅଞ୍ଚଳରୁ ଲମତାପୁଟ, ଜୟପୁର ଦେଇ ବିହାରକୁ ଏକ ପୋଇଡ଼ ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ମାଛକୁଣ୍ଡ ଥାନାଧିକାରୀ ପ୍ରଫୁଲ୍ଲ ଲାକ୍ରା ପାଇଥିଲେ। ସୂଚନା ଆଧାରରେ ଥାନାଧିକାରୀ ଶ୍ରୀ ଲାକ୍ରା, ସବଇନ୍ସପେକ୍ଟର ଦିଲ୍ଲୀପ ପ୍ରଧାନ ଓ ଡି.ବାତ୍ରିଆ ପୁଲିସ୍ ଟିମ୍ ସହ କଂଚଣା ଛକରେ ନାକାବନ୍ଦୀ କରିଥିଲେ। ଗଞ୍ଜେଇ ନେଇ ଯାଉଥିବା ଉକ୍ତ ଟ୍ରକ୍ ଆସିବା ମାତ୍ରେ ପୁଲିସ୍ ଟିମ୍ ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ବେଳକୁ ଜରି ଅଖାରେ ଗଞ୍ଜେଇ ଥିବା ଜଣା ପଡ଼ିଥିଲା। ପୁଲିସ୍ ଟିମ୍ ଉପରୋକ୍ତ ୨ଜଣଙ୍କୁ ଗିରଫ କରି ଟ୍ରକ୍ ସହ ଗଞ୍ଜେଇ, ଗୋଟିଏ ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ମାଛକୁଣ୍ଡ ଥାନାରେ ଏନଡିପିଏସ୍ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନନ୍ଦପୁର ଏସଡିପିଓ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।