ବାଇକ ଧକ୍କାରେ ୪ ଗୁରୁତର: ଆହତକଙ୍କୁ ମେଡିକାଲ ପଠାଇଲେ ବିଜେଡି ଯୁବ ସଭାପତି

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହାରପଡ଼ା ଉଦୟପୁର ରାସ୍ତାର ଦୁବେଇପେଣ୍ଠ ଛକ ନିକଟରେ ସୋମବାର ଅପରାହ୍ନରେ ୨ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୨ ବାଇକରେ ଯାଉଥିବା ୫ଜଣଙ୍କ ମଧ୍ୟରୁ ୪ଜଣ ଗୁରୁତର ହୋଇଥିଲେ। ଗୁରୁତରଙ୍କ ପରିଚୟ ମିଳି ନଥିବାବେଳେ ରାସ୍ତାକଡ଼ରେ ପଡ଼ି ଛଟପଟ ହେଉଥିବା ସମୟରେ ଉକ୍ତ ରାସ୍ତା ଦେଇ ଆସୁଥିବା ସାହାରପଡ଼ା ବ୍ଲକର ବିଜେଡି ଯୁବ ସଭାପତି ସତ୍ୟନାରାୟଣ ପଣ୍ଡା ସମସ୍ତଙ୍କୁ ଉଦ୍ଧାର କରି ଅଗ୍ନିଶମ ଗାଡି଼ ସହାୟତାରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୨ଜଣ ମହିଳା ଥିବାବେଳେ ଗୋଡ଼ ଭାଙ୍ଗିବା ସହ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଛି। ଉକ୍ତ ରାସ୍ତାକଡ଼ ମରାମତି ସହ ସମ୍ପ୍ରସାରଣ ଚାଲିବା ସତ୍ୱେ ଠିକାଦାର ସତର୍କ ସୂଚକ ଲଗାଇ ନଥିବାରୁ ଏହି ରାସ୍ତାରେ ଦୈନିକ ଦୁର୍ଘଟଣା ଘଟୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।