ଧାନ ମଣ୍ଡିରେ ଚାଷୀ ହନ୍ତସନ୍ତ, ଚାଷୀ ସଂଗଠନର ବୈଠକ

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ୍ ଅନ୍ତର୍ଗତ ନାଉଲିପଡ଼ା ସେବା ସମବାୟ ସମିତିରେ ଧାନ ମଣ୍ଡିକୁ ଗତ ୫ ତାରିଖରୁ ଚାଷୀମାନେ ଧାନ ଆଣିଥିବା ବେଳେ ଏପର୍ଯ୍ୟନ୍ତ ମଣ୍ଡିରେ ଧାନ ପଡ଼ିରହିଛି। ମିଲରମାନଙ୍କ ବୈମାତୃକ ମନୋଭାବ ଯୋଗୁଁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି। ଏନେଇ ରିଆମାଳ ବ୍ଲକ୍ ଚାଷୀ ସଂଗଠନ ସମ୍ପାଦକ ପବିତ୍ର ନାୟକ ପ୍ରକାଶ କରିଛନ୍ତି। ଗତ ୫ ଓ ୯ ତାରିଖ ଦିନ ଚାଷୀମାନେ ଧାନ ମାଣ୍ଡିକୁ ଧାନ ଆଣିଥିଲେ ସୁଦ୍ଧା ସମ୍ବଲପୁର ଦ୍ୱାରିକ ମିଲର ଓ ଦେବଗଡ ରଘୁନନ୍ଦନ ମିଲର ଧାନ କ୍ରୟ କରୁ ନଥିବାର ଅଭିଯୋଗ ହୋଇଛି।

ସମ୍ବଲପୁର ଦ୍ୱାରିକ ମିଲର ଗତକାଲି ଧାନର କ୍ୱିଣ୍ଟାଲ ପ୍ରତି ୪ କିଲୋ ଧାନ ଛଟନୀ ପାଇଁ ଅଡି ବସିଥିବା ବେଳେ ସ୍ଥାନୀୟ ଚାଷୀମାନେ ଏହାକୁ ବିରୋଧ କରିଥିଲେ। ଆଜି ଜିଲ୍ଲା ଚାଷୀ ସଂଗଠନକୁ ଡାକି ନାଉଲିପଡା ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସର ମଧ୍ୟରେ ଏକ ବୈଠକ କରାଯାଇଥିଲା। ବୈଠକରେ ଧାନ ଛଟନୀ ବାବାଦରେ ବିସ୍ତ୍ରୃତ ଆଲୋଚନା ହେବା ପରେ ଜିଲ୍ଲା ଚାଷୀ ସଂଗଠନର ସଭାପତି ପ୍ରମୋଦ ଝାଙ୍କର ଏ ବାବାଦରେ ଦେବଗଡ଼ ଜିଲ୍ଲାପାଳଙ୍କୁ ମୋବାଇଲ ଯୋଗେ ଜଣାଇଥିଲେ। ଯଦି ଆଗାମୀ ଦିନରେ ମିଲରମାନେ କ୍ୱିଣ୍ଟାଲ ପ୍ରତି ୪ କିଲୋ ଧାନ ଛଟନୀ କରନ୍ତି ତେବେ ରିଆମାଳ ବ୍ଲକର ୯ଟି ସମବାୟ ସମିତିରେ ଅନୁଷ୍ଠିତ ହେଉଥିବା ଧାନ ମଣ୍ଡି ବନ୍ଦ କରାଯିବ ବୋଲି କହିଥିଲେ। ଏଥିସହିତ ମିଲର ମାନଙ୍କର ମନମୁଖୀ କାର୍ଯ୍ୟ ପାଇଁ ଆସନ୍ତା ସୋମବାର ଦିନ ରିଆମାଳ ବ୍ଲକ୍ ଚାଷୀ ସଂଗଠନ ଓ କିଛି ଚାଷୀ ଦେବଗଡ଼ ଜିଲ୍ଲାପାଳଙ୍କୁ ଭେଟି ଅବଗତ କରାଇବେ ବୋଲି ସ୍ଥିର ହୋଇଛି।

ନାଉଲିପଡା ସେବା ସମବାୟ ସମିତିକୁ ସରକାରଙ୍କ ପକ୍ଷରୁ ୧୫ ହଜାର ୩ ଶହ ୬୭ କ୍ୱିଣ୍ଟାଲ ଧାନ କ୍ରୟ ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ୭ ହଜାର କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଛି। ତେଣୁ ମିଲରମାନେ ଏପରି ମନମୁଖୀ ଧାନ କ୍ରୟ କଲେ ଚାଷୀମାନେ ବଡ଼ ଅସୁବିଧାର ସମ୍ମୁଖୀନ ହେବେ ବୋଲି ବ୍ଲକ୍ ଚାଷୀ ସଂଗଠନ ସଭାପତି ହୃଷୀକେଶ ପ୍ରଧାନ ପ୍ରଶ୍ନ କରିଥିଲେ। ରିଆମାଳ ସରପଞ୍ଚ ତରଣୀସେନ ପ୍ରଧାନ, ଯୋଗେନ୍ଦ୍ର ବିଶ୍ୱାଳ, ହରିଶ୍ଚନ୍ଦ୍ର ବିଶ୍ୱାଳ, ରବି ପ୍ରଧାନ, କୁନୁ ପ୍ରଧାନ, ହେମନ୍ତ ପ୍ରଧାନ, ବସନ୍ତ କୁମାର ପ୍ରଧାନ, ଦେବର୍ଚ୍ଚନ ପ୍ରଧାନ ଓ ଦନାର ପ୍ରଧାନ ପ୍ରମୁଖ ଚାଷୀ ନେତା ବୈଠକରେ ଯୋଗଦେଇଥିବା ବେଳେ ସ୍ଥାନୀୟ ଚାଷୀମାନେ ମଧ୍ୟ ବୈଠକରେ ଯୋଗ ଦେଇଥିଲେ।