ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାର ଶ୍ରମିକ ମାନେ ଏବେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯିବା ପାଇଁ ମନ ବଳାଉଥିବା ବେଳେ ରୋଜଗାର ଦେବା ପାଇଁ ସରକାରଙ୍କ ଯୋଜନା ଫେଲ ମାରୁଥିବା ପରିଲକ୍ଷିତ ହେଉଛି। ତେବେ ନାମକୁ ମାତ୍ର ପ୍ରଶାସନର କଟକଣା, ମନରେଗା ଯୋଜନାରେ ନିଯୁକ୍ତି ପ୍ରୟାସ ପ୍ରହସନ ପାଲଟିଛି। ଆଜି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନରେ ଶହ ଶହ ସଂଖ୍ୟାରେ ଦାଦନ ଶ୍ରମିକ ନାନ୍ଦେଡ଼ ଏକ୍ସପ୍ରେସ୍ ଯୋଗେ ଆନ୍ଧ୍ରପ୍ରଦେଶକୁ ଟ୍ରେନ୍ ଯୋଗେ ଚାଲାଣ ପାଇଁ ବୁହା ହୋଇଆସିଥିଲେ। ଖବର ପାଇ ପ୍ରଶାସନ ଚଢଉ କରିଥିଲା। ଶିଶୁ, ନାବାଳିକାଙ୍କୁ ଧରି ଯାଉଥିବା ପିତାମାତା ସେମାନଙ୍କ ଟ୍ରେନ୍ ଟିକେଟ ମଧ୍ୟ ଦେଖାଇପାରି ନଥିଲେ। ସବୁ ଟିକେଟ ତକ ଦଲାଲ ଧରି ଲୁଚି ବସିଥିଲା। କିଛି ଶ୍ରମିକ ପରିବାର ଟିକେଟ ଧରିଥିଲେ ମଧ୍ୟ କୁଆଡେ ଯିବେ, କଣ କାମ କରିବେ, କାହା ପାଖରେ ନିୟୋଜିତ ହେବେ ସେନେଇ କିଛି ଜାଣି ନଥିବା କହିଥିଲେ।
ଟିଟିଲାଗଡ଼ ବ୍ଲକ ଆମପାଲି, ମୁରିବାହାଲ ବ୍ଲକ୍ ପତ୍ରପାଲି, ବେଲପଡ଼ା ବ୍ଲକ୍ ଯୁବ ଆଦି ଅଞ୍ଚଳରୁ ଶ୍ରମିକ ପରିବାର ବୁହା ହୋଇ ଆସିଥିଲେ। ରେଳ ଷ୍ଟେସନ୍ରେ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ରନାଥ ଶତପଥୀ, ଥାନା ଏସ୍ଆଇ ଅକୃର ପାତ୍ର ସଦଳବଳେ ପହଞ୍ଚି ଆରପିଏଫ୍ ବାହିନୀ ସହାୟତାରେ ଶ୍ରମିକ ପରିବାରଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ଥାନାକୁ ଆଣିଥିଲେ। ତେବେ ଅନେକ ଶ୍ରମିକ ପରିବାର ଦଲାଲଙ୍କ ଇସାରାରେ ଇଆଡେ ସିଆଡେ ଲୁଚି ଯାଇଥିବା ଅଭିଯୋଗ ହୋଇଛି। ରାଜ୍ୟ ଯୁବ କଂଗ୍ରେସ ଉପ-ସଭାପତି ବିରେନ୍ଦ୍ର ବାଗ, ବିଜେପି ନଗର ସମ୍ପାଦକ କୁନା ଭାଟି ଷ୍ଟେସନ୍ରେ ପହଞ୍ଚି ଶ୍ରମିକଙ୍କ ପରିବାରଙ୍କୁ ନିଜ ଜୀବନକୁ ବାଜିଲଗାଇ ପ୍ରଲୋଭନରେ ପଡ଼ି ରାଜ୍ୟ ବାହାରକୁ ଯିବା ବିପଦଜନକ ବୋଲି ବୁଝାଇଥିଲେ। ଏପରିକି ତାଙ୍କ ଗାଁ ସାନପତ୍ରାପାଲି ଅଞ୍ଚଳରୁ ଶ୍ରମିକ ନେବା ପାଇଁ ବଇନା ଦିଆଯାଇ ସାରିଥିବା ନାରେନ ସରପଞ୍ଚ ଦୟାରାମ ଅଗ୍ରୱାଲ ଚିନ୍ତା ପ୍ରକଟ କରିଛନ୍ତି।
ଅନ୍ୟ ପକ୍ଷରେ ପ୍ରଶାସନ ସତର୍କହେବା ବଦଳରେ ଦାଦନ ବ୍ୟବସାୟକୁ ପ୍ରୋତ୍ସାହନ ଦେଇ ଚାଲିଥିବା ଅଭିଯୋଗ ହୋଇଛି। ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯିବା ସହ ସରକାର ବଲାଙ୍ଗିର ଜିଲ୍ଲାକୁ ଦାଦନମୁକ୍ତ ଘୋଷଣା କରିଛନ୍ତି। ଜିଲ୍ଲା ଶ୍ରମିକ ବିଭାଗ ଗତ କିଛି ବର୍ଷ ହେଲା ଶ୍ରମିକ ଚାଲାଣ ଲାଇସେନ୍ସ ନବୀକରଣ କରୁନାହିଁ। ତେବେ ଜିଲ୍ଲା ପ୍ରଶାସନ ଦାଦନ ଖଟି ଯାଉଥିବା ଶ୍ରମିକ ମାନଙ୍କୁ କାମ ଯୋଗାଇ ଦେବା ପାଇଁ ସଇଁନ୍ତଳା ବ୍ଲକ୍ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ ଦାବି କରିଛନ୍ତି।