ବିଜେପି ବିଧାୟକଙ୍କୁ ମାଡ଼ ମାରିଲେ କୃଷକ

ଚଣ୍ଡିଗଡ଼,ଏଜେନ୍ସି: ନୂତନ କୃଷି ଆଇନକୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନ ଗତ ୪ ମାସ ହେବ ଜାରି ରହିଛି। ଏହି ମଧ୍ୟରେ ପଞ୍ଜାବର ବିଭିନ୍ନ ସ୍ଥାନରେ ମଧ୍ୟ ଚାଷୀମାନେ ବିକ୍ଷୋଭ ଜାରି ରଖିଛନ୍ତି। ଆଜି ପଞ୍ଜାବର ମଲେଟରେ କୃଷକମାନେ ଉତ୍ତ୍ୟକ୍ତ ହୋଇ ଜଣେ ବିଜେପି ବିଧାୟକଙ୍କୁ ମାଡ଼ ମାରିଛନ୍ତି। ବିଜେପି ବିଧାୟକ ଅରୁଣ ନାରଙ୍ଗିଙ୍କୁ କୃଷକମାନେ ମାଡ଼ ମାରିବା ସହ ତାଙ୍କ ସାର୍ଟ ଚିରି ଦେଇଛନ୍ତି।

ସୂଚନା ଅନୁସାରେ ପଞ୍ଜାବରେ ବିଜେପିକୁ ଆଜି ୪ ବର୍ଷ ପୁରି ଥିବାରୁ ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରେସ୍ କନଫରେନ୍ସ କରାଯାଉଛି। ଏହି ପରିପ୍ରେକ୍ଷୀରେ ମଲେଟକୁ ବିଧାୟକ ଅରୁଣ ନାରଙ୍ଗ ଓ ବିଜେପି ଜିଲ୍ଲା ମୁଖ୍ୟ ରାଜେଶ ପଠେଲ ଗୋରା ଏକ ପ୍ରେସ୍ କନଫରେନ୍ସରେ ଯୋଗଦେବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ଗାଡ଼ି ବିଜେପି କାର୍ଯ୍ୟାଳୟରେ ପହଞ୍ଚିବା କ୍ଷଣି କୃଷକ ସଂଗଠନ ପକ୍ଷରୁ ସେମାନଙ୍କୁ କଳା ପତାକା ଦେଖାଯାଇଥିଲା।

ଏଥିସହ ଉତ୍ତ୍ୟକ୍ତ କୃଷକମାନେ ବିଧାୟକଙ୍କ ସୁରକ୍ଷା କର୍ମଚାରୀଙ୍କୁ ଠେଲି ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଏଥିସହିତ ସେମାନଙ୍କ ଉପରକୁ କାଳି ମଧ୍ୟ ଫିଙ୍ଗିଥିଲେ। ଏଥିରେ କୃଷକମାନେ ବିଧାୟକଙ୍କୁ ମାଡ଼ ମାରିବା ସହିତ ତାଙ୍କ କପଡ଼ା ଚିରି ଦେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାକୁ କାବୁକୁ ଆଣିଛି।