ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦ ପକ୍ଷରୁ ସାରସ୍ୱତ ସମାରୋହ ଅନୁଷ୍ଠିତ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆଜି ପୂର୍ବାହ୍ଣରେ ଏକ ସାରସ୍ୱତ ସମାରୋହ ପାଳିତ ହୋଇଯାଇଛି। ସଂସଦର ସଭାପତି ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡକ୍ଟର ପଦ୍ମନାଭ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ତହସିଲଦାର ପଲ୍ଲବୀ ନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ସମିତିର ଅଧ୍ୟକ୍ଷ ଅତୁଲ୍ୟ କୁମାର ପୁଜାରୀ, ମୁଖ୍ୟବକ୍ତା ଭାବେ କଣ୍ଢଳ ମହାବିଦ୍ୟାଳୟର ଓଡିଆ ବିଭାଗ ପ୍ରାଧ୍ୟାପକ ଡକ୍ଟର ସନ୍ତୋଷ କୁମାର ଦେବତା ଓ ସମ୍ମାନିତ ବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ତଥା ସଂସଦର ଯୁଗ୍ମ ସମ୍ପାଦକ ଡକ୍ଟର ଭାରତ ଭୂଷଣ ନନ୍ଦ ଯୋଗଦେଇ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସ୍ୱର୍ଗତ ପଣ୍ଡିତ ମଧୁସୂଦନ ଗୁରୁଙ୍କ ରଚିତ ପୁସ୍ତକ ‘ମଧୁମାନସ ଓ ମର୍ମଦାହ’ରେ ପ୍ରତିଫଳିତ ସାଂପ୍ରତିକ ସମାଜର ସ୍ଥିତି ଓ ଲେଖକଙ୍କ ସ୍ୱପ୍ନ ସନ୍ଦର୍ଭରେ ବକ୍ତା ଦ୍ୱୟ ଆଲୋଚନା କରିଥିଲେ।

ସମାରୋହର ଦ୍ୱିତୀୟ ଅଧିବେଶନରେ ସ୍ୱରଚିତ କବିତା ପାଠୋତ୍ସବରେ ୫୦ରୁ ଊର୍ଦ୍ଧ୍ୱ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ। କବିତା ପାଠୋତ୍ସବରେ ଅବସରପ୍ରାପ୍ତ ଅଧ୍ୟାପକ ତଥା ରିଆମାଳ ସ୍ଥିତ ନବଦିଗନ୍ତ ସାହିତ୍ୟ ସଂସଦର ସମ୍ପାଦକ ଗୋଲବଦନ ବିଶ୍ୱାଳ ଓ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦର ସଦସ୍ୟା ସୁମିତ୍ରା ପୁରୋହିତ କବିତା ସଂଯୋଜନା କରିଥିଲେ। ସଭା ପୂର୍ବରୁ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦର ସମ୍ପାଦକ ଅଧ୍ୟାପକ ଚିତ୍ତ ରଞ୍ଜନ ଦାସ ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ସହ ସାରସ୍ୱତ ସମାରୋହ ସମ୍ପର୍କିତ ବିବରଣୀ ପ୍ରଦାନ କରିଥିଲେ।