ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ଆଉ ଏକ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ। ଏହି ଘଟଣାଟି ପାଟଣାଗଡ଼ ବ୍ଲକ ଧୂବଳପଡ଼ା ପଞ୍ଚାୟତ ଅନ୍ତର୍ଗତ ଭାଳୁଜୁରୀ ଗ୍ରାମରେ ଘଟିଛି। ଗ୍ରାମର ଅନିରୁଦ୍ଧ ଭୁଏଙ୍କ ପୁଅ ଯୁଧିଷ୍ଠିର ଭୁଏ ଭାଗଚାଷରେ ୫ ଏକର ଧାନ ଚାଷ ଓ ୫ ପ୍ୟାକେଟ କପା ଚାଷ କରିଥିଲେ। ଶନିବାର ଯୁଧିଷ୍ଠିର ଜମି ଦେଖିବା ପରେ ଚିନ୍ତାରେ ପଡ଼ି ବିଷ ପିଇଥିବା ଘର ଲୋକ କହିଛନ୍ତି। ଅବସ୍ଥା ସଙ୍କଟାପନ୍ନ ହେବାରୁ ଯୁଧିଷ୍ଠୀରଙ୍କୁ ପ୍ରଥମେ ପାଟଣାଗଡ଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରି ବଲାଙ୍ଗିରକୁ ସ୍ଥାନାନ୍ତର କରାଯାଇଥିଲା। ବଲାଙ୍ଗିର ଭୀମଭୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ଗତକାଲି ସଂନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପାଟଣାଗଡ଼ ଭାରପ୍ରାପ୍ତ ଉପଜିଲ୍ଲାପାଳ ଡା.ପୁଷ୍ପାଞ୍ଜଳୀ ପଣ୍ଡା ଓ କୃଷି ବିଭାଗର ଅଧିକାରୀ ପାଟଣାଗଡ଼ ପୁଲିସ ସହ ଆରଆଇ ଯୁଧିଷ୍ଠିର ଭାଗ ଚାଷ କରିଥିବା ଜମିକୁ ଯାଇ ଅନୁଧ୍ୟାନ କରିଥିଲେ। ଅନ୍ୟପଟେ ପାଟଣାଗଡ଼ ପ୍ରଶାସନ ପକ୍ଷରୁ ଚାଷୀ ଆତ୍ମହତ୍ୟା ନୁହେଁ ଏହା ଏକ ପାରିବାରିକ କଳହ ବୋଲି ଭାରପ୍ରାପ୍ତ ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି। ମୃତକର ବିଧବା ପତ୍ନୀ ସହ ୨ଟି ଛୋଟ ଝିଅ ଥିବାବେଳେ ପ୍ରଶାସନ ମୃତକ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ସାଧାରଣରେ ଦାବୀ ହୋଇଛି।