ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚାଷୀମାନେ ଅନେକ ଜାଗାରେ ଆନ୍ଦୋଳନ କରିଛନ୍ତି। ଯୋଗାଣ ବିଭାଗ ପକ୍ଷରୁ ପଂଜିକୃତ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଉ ନଥିବାରୁ ବିଭିନ୍ନ ସେବା ସମବାୟ ସମିତିର ଚାଷୀଙ୍କ ଧାନ ବିକ୍ରୀ ହୋଇପାରୁ ନଥିବା ବେଳେ କେତେକ ଚାଷୀ ପାଇଥିବା ଟୋକନର ସମୟ ମଧ୍ୟ ଇତିମଧ୍ୟରେ ଶେଷ ହୋଇଥିବା ଜଣାପଡ଼ିଛି। ଏ ନେଇ ବିଭିନ୍ନ ସେବା ସମବାୟ ସମିତିରେ ପଂଜିକୃତ ଚାଷୀମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସେମାନେ ଆନ୍ଦୋଳନ ମୁହାଁ ହୋଇଛନ୍ତି। ଏହି କ୍ରମରେ ଗତ ମଙ୍ଗଳବାର ସକାଳୁ ରିଆମାଳ ବ୍ଲକ ଅନ୍ତର୍ଗତ ତାରଙ୍ଗ ସେବା ସମିତିରେ ପଂଜିକୃତ ଶତାଧିକ ଚାଷୀ ପଞ୍ଚାନନ ବେହେରାଙ୍କ ନେତୃତ୍ୱରେ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ରଖି ଆନ୍ଦୋଳନ କରିବା ଫଳରେ ଉଭୟ କାର୍ଯ୍ୟାଳୟ ଗତ ଏକ ସପ୍ତାହ ଧରି ଅଚଳ ହୋଇ ରହିଛି। ଆନ୍ଦୋଳନରତ ଚାଷୀଙ୍କ ସହ ଯୋଗାଣ ବିଭାଗର ଆଲୋଚନା ବିଫଳ ହେବାରୁ ଆନ୍ଦୋଳନ ଜାରି ରହିଛି।
