ବିଭିନ୍ନ ସମସ୍ୟାର ସମାଧାନ ନେଇ ଚାଷୀ ଆନ୍ଦୋଳନ ମୁହାଁ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚାଷୀମାନେ ଅନେକ ଜାଗାରେ ଆନ୍ଦୋଳନ କରିଛନ୍ତି। ଯୋଗାଣ ବିଭାଗ ପକ୍ଷରୁ ପଂଜିକୃତ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଉ ନଥିବାରୁ ବିଭିନ୍ନ ସେବା ସମବାୟ ସମିତିର ଚାଷୀଙ୍କ ଧାନ ବିକ୍ରୀ ହୋଇପାରୁ ନଥିବା ବେଳେ କେତେକ ଚାଷୀ ପାଇଥିବା ଟୋକନର ସମୟ ମଧ୍ୟ ଇତିମଧ୍ୟରେ ଶେଷ ହୋଇଥିବା ଜଣାପଡ଼ିଛି। ଏ ନେଇ ବିଭିନ୍ନ ସେବା ସମବାୟ ସମିତିରେ ପଂଜିକୃତ ଚାଷୀମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସେମାନେ ଆନ୍ଦୋଳନ ମୁହାଁ ହୋଇଛନ୍ତି। ଏହି କ୍ରମରେ ଗତ ମଙ୍ଗଳବାର ସକାଳୁ ରିଆମାଳ ବ୍ଲକ ଅନ୍ତର୍ଗତ ତାରଙ୍ଗ ସେବା ସମିତିରେ ପଂଜିକୃତ ଶତାଧିକ ଚାଷୀ ପଞ୍ଚାନନ ବେହେରାଙ୍କ ନେତୃତ୍ୱରେ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ରଖି ଆନ୍ଦୋଳନ କରିବା ଫଳରେ ଉଭୟ କାର୍ଯ୍ୟାଳୟ ଗତ ଏକ ସପ୍ତାହ ଧରି ଅଚଳ ହୋଇ ରହିଛି। ଆନ୍ଦୋଳନରତ ଚାଷୀଙ୍କ ସହ ଯୋଗାଣ ବିଭାଗର ଆଲୋଚନା ବିଫଳ ହେବାରୁ ଆନ୍ଦୋଳନ ଜାରି ରହିଛି।

ସେହିପରିି ବାରକୋଟ ବ୍ଲକ ଅନ୍ତର୍ଗତ ବସାଲଇ,ସିଂଶାଳ ଓ ଖଜୁରୀଖମଣ ସେବା ସମବାୟ ସମିତିର ପଂଜିକୃତ ଚାଷୀମାନେ ଆଜି ଦଳ ଦଳ ହୋଇ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେମାନଙ୍କ ଧାନ ବିକ୍ରୀ ହେଉନଥିବା ଏବଂ ଚାଷୀ ପାଇଥିବା ଟୋକନ ସମୟ ଶେଷ ହୋଇଯାଇଥିବାରୁ କଷ୍ଟ ଅର୍ଜିତ ଫସଲକୁ ବିକ୍ରି କରି ନପାରି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି। ତେବେ ପ୍ରଶାସନଠାରୁ ଆଶ୍ୱାସନା ପାଇ ସେମାନେ ନିଜ ନିଜ ଅଚଂଳକୁ ଫେରିଯାଇଥିବା ବେଳେ ଆଗାମୀ କିଛିଦିନ ମଧ୍ୟରେ ଚାଷୀଙ୍କ ଧାନ ସରକାର ନ କିଣିଲେ ସମଗ୍ର ଜିଲ୍ଲାରେ ଚାଷୀ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚାଷୀ ନେତାମାନେ ପ୍ରକାଶ କରିଛନ୍ତି।

ଆଜି ବସାଲଇ ସେବା ସମବାୟ ସମିତିର ଚାଷୀ ସଚ୍ଚିଦାନନ୍ଦ ପଟ୍ଟନାୟକ ଓ ବିନୋଦ ବିହାରୀ ନାୟକ, ସିଂଶାଳ ସେବା ସମବାୟ ସମିତିର ଚାଷୀ ଶୈଳେଶ କୁମାର ପ୍ରଧାନ, ଖଜୁରୀଖମଣ ସେବା ସମବାୟ ସମିତିର ଚାଷୀ ଭାରତ ଭୂଷଣ ପ୍ରଧାନ ଓ ଭୋଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ପଂଜିକୃତ ଚାଷୀ ସମସ୍ୟାର ସମାଧାନ ଲାଗି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି।