ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଡିକି ଭାଙ୍ଗି ଶିକ୍ଷକଙ୍କ ୩ଲକ୍ଷ ଟଙ୍କା ଲୁଟ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ସହରର ମୁଖ୍ୟ ବଜାରଠାରେ ଥିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଆଜି ପୂର୍ବାହ୍ନରେ ଜଣେ ଶିକ୍ଷକଙ୍କ ବାଇକ ଡିକି ଭାଙ୍ଗି ସାଢ଼େ ୩ ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ଦେବଗଡ଼ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ତାଳକୁଣ୍ଡି ସ୍କୁଲରେ ଶିକ୍ଷକତା କରୁଥିବା ଢୋଲପଡ଼ା ଗ୍ରାମର ମେଘନାଦ ରଣଜିତ ଆଜି ସ୍ଥାନୀୟ ଆଇଡିବିଆଇ ବ୍ୟାଙ୍କରୁ ୫ଲକ୍ଷ ୫୫ହଜାର ଟଙ୍କା ଉଠାଣ କରି ଏକ୍ସିସ ବ୍ୟାଙ୍କରେ ୨ଲକ୍ଷ ଟଙ୍କା ଜମା କରି ଅବଶିଷ୍ଟ ଟଙ୍କାକୁ ନିଜ ବାଇକ ଡିକିରେ ରଖି କୌଣସି କାମ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଭିତରକୁ ଯାଇଥିଲେ। କିଛି ସମୟ ପରେ ବାହାରକୁ ଆସିବାରୁ ଡିକିରେ ଥିବା ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଗାୟବ ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ଶିକ୍ଷକ ଶ୍ରୀ ରଣଜିତ ତୁରନ୍ତ ଦେବଗଡ଼ ଥାନାରେ ପହଞ୍ଚି ଅଭିଯୋଗ କରିବା ପରେ ସବଇନ୍ସପେକ୍ଟର ପ୍ରଦୀପ ରଞ୍ଜନ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ ସହରର ବିଭିନ୍ନ ସ୍ଥାନ ସହ ସିସି ଟିଭି କ୍ୟାମେରା ମଧ୍ୟ ଯାଞ୍ଚ କରୁଥିବା ଜଣାପଡ଼ିଛି। ତେବେ ଖୋଦ ଜିଲ୍ଲାଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ସିସି ଟିଭି କ୍ୟାମେରା ଖଞ୍ଜା ଯାଇଥିଲେ ହେଁ ଏହା ଅଚଳ ଥିବାରୁ ପୁଲିସକୁ ଘଟଣାସ୍ଥାଳର କୌଣସି ଚିତ୍ର ମିଳିପାରି ନାହିଁ।

ସୂଚନାଯୋଗ୍ୟ, ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ସିସି ଟିଭି ଖଞ୍ଜା ଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ସେସବୁ ଅଚଳ ହୋଇପଡ଼ି ରହିଛି। ଆଜି ଯଦି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ସିସି ଟିଭି କାର୍ଯ୍ୟକ୍ଷମ ଥାନ୍ତା ତା’ହେଲେ ଏହି ଲୁଟ ଘଟଣାର ସଂପୃକ୍ତ ଅପରାଧିକୁ ଧରିବାରେ ପୁଲିସକୁ ସହାୟକ ହୋଇଥାନ୍ତା।