ଛତିଶଗଡ ପୁଲିସର ଦାଦାଗିରି ଘଟଣା: ଓଡିଶା-ଛତିଶଗଡ ରାସ୍ତାରୋକ କଲେ କନକତୋରାବାସୀ

ଜିଲ୍ଲା ପ୍ରଶାସନ ମାଧ୍ୟମରେ ସମାଧାନ ନହେଲେ ରାଜ୍ୟ ସରକାର କରିବେ ହସ୍ତକ୍ଷେପ: ଜିଲ୍ଲାପାଳ

ଝାରସୁଗୁଡା,ଏନ୍ଏନ୍ଏସ୍: ଓଡିଶା ସୀମାକୁ ପ୍ରବେଶ କରି ଚାଷୀ ତଥା ସୀମାନ୍ତ ଅଂଚଳବାସୀଙ୍କ ଉପରେ ବାରମ୍ବାର ଛତିଶଗଡ ପୁଲିସ କରୁଥିବା ଅତ୍ୟାଚାରକୁ ବିରୋଧ କରି ବୁଧବାର ସକାଳ ୧୦ଟାରୁ କନକତୋରାବାସୀ ଓଡିଶା-ଛତିଶଗଡକୁ ସଂଯୋଗ କରୁଥିବା ଏକତାଲ ଛକରେ ରାସ୍ତାରୋକ କରିଛନ୍ତି। ସେମାନେ କହିଛନ୍ତି ଗତ ଶନିବାର କନକତୋରା ଗ୍ରାମର ଚାଷୀ ମନୋଜଙ୍କ ଜବତ କରିଥିବା ୩୮ ବସ୍ତା ଧାନକୁ ଛତିଶଗଡ ପୁଲିସ ନଫେରେଇଲେ ଆଗାମୀ ଦିନରେ ଏନ-୪୯ ଅବରୋଧ କରାଯିବ।

ଏହାସହ ଆଇନକୁ ଅବମାନନା କରି ସୀମାନ୍ତ ଅଂଚଳରେ ଛତିଶଗଡ ପୁଲିସ ପଶି ଲୋକଙ୍କୁ ହଇରାଣ କରୁଛି। ଓଡିଶା ସୀମାନ୍ତରେ ବସବାସ କରୁଥିବା ନିରୀହ ଲୋକେ ଏହାର ଶିକାର ହେଉଛନ୍ତି । ତେଣୁ ସରକାର ଓ ଜିଲ୍ଲା ପ୍ରଶାସନ ଶୀଘ୍ର ଏଥିପାଇଁ ପଦକ୍ଷେପ ଗ୍ରହଣ କରି ଏହାର ସ୍ଥାୟୀ ସମାଧାନ ବାହାର କରି ସୀମାନ୍ତ ଲୋକଙ୍କୁ ସୁରକ୍ଷା ପ୍ରଦାନ କରନ୍ତୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଅନ୍ୟପଟେ ଝାରସୁଗୁଡା ଜିଲ୍ଲାପ।।ଳ ସରୋଜ କୁମାର ସାମଲ କହିଛନ୍ତି ଛତିଶଗଡ ପୁଲିସ ଜବତ କରିଥିବା ମନୋଜଙ୍କ ୩୮ ବସ୍ତା ଧାନ ଓ ଗାଡିକୁ ଫେରସ୍ତ କରିବା ପାଇଁ ଉଭୟ ଜିଲ୍ଲା ପ୍ରଶାସନ ମଧ୍ୟରେ କଥାବାର୍ତ୍ତା ଚାଲିଛି।

ଆଗାମୀ ୨-୩ ଦିନ ଭିତରେ ମନୋଜଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଛତିଗଡ ପ୍ରଶାସନ ପ୍ରତ୍ୟାହାର କରି ଗାଡି ସହ ଧାନ ଫେରସ୍ତ କରିବ ବୋଲି ଛତିଗଡ ଜିଲ୍ଲା ପ୍ରଶାସନ ତଥା ପୁଲିସ ପ୍ରତିଶୃତି ହେଇଛନ୍ତି। ଯଦି ଉଭୟ ଜିଲ୍ଲା ପ୍ରସାଶନ ମଧ୍ୟରେ କଥାବାର୍ତ୍ତା ମାଧ୍ୟମରେ ମାମଲାର ସମାଧାନ ନହୁହେ ତେବେ ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ଓ ଗୃହ ବିଭାଗ ଓ ସାଧାରଣ ପ୍ରଶାସନକୁ ଏଥିରେ ହସ୍ତକ୍ଷେପ କରି ଏହାର ସମାଧାନ କରିବା ପାଇଁ ଅନୁରୋଧ କରାଯିବ ବୋଲି ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି।

ପ୍ରକାଶ ଯୋଗ୍ୟ ଯେ, ଶନିବାର ଓଡିଶା ସୀମା ଭିତରକୁ ପ୍ରବେଶ କରି ଛତିଶଗଡ ପୁଲିସ କନକତୋରା ଗ୍ରାମର ଚାଷ ଜମିରୁ ଧାନ ଅମଳ କରୁଥିବା ଭାଗ ଚାଷୀ ମନୋଜ ମେହେର ଓ ତାଙ୍କ ଧାନକୁ ବଳ ପୂର୍ବକ ରାୟଗଡ ଜିଲ୍ଲା ଝୁଟମିଲ ଥାନାକୁ ନେଇ ଯାଇଥିଲା। ମନୋଜକୁ ବହୁ ହଇରାଣ ହରକତ କରିବା ପରେ ରାତି ୨ଟାରେ ଛାଡିଥିଲେ ହେଁ ତାଙ୍କ ଧାନ ଓ ଟାଟା ଏସି (ସିଜି ୧୩ ଏଲ୍ ୪୩୪୬)କୁ ଏପର୍ଯ୍ୟନ୍ତ ଅଟକ ରଖିଛି। ଘଟଣାକୁ ଜିଲ୍ଲାପ୍ରଶାସନ ତଦାରଖ କରି ଏହି ଜମି ଓଡିଶା ସୀମାର ଥିବା ପ୍ରକାଶ କରିଥିଲେ ହେଁ ଛତିଶଡ ପୁଲିସ ତଥା ରାୟଗଡ ଜିଲ୍ଲା ପ୍ରଶାସନ ଧାନ ଫେରସ୍ତ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ ନ କରିନାହିଁ। ଏନେଇ କନକତୋରାବାସୀ ରବିବାର ରେଙ୍ଗାଲୀ ଥାନାରେ ଓ ସୋମବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ।

ଏହିବିଷୟରେ ଖବର ପାଇ ମଙ୍ଗଳବାର ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ସୀମାନ୍ତ କନକତୋରା ଗ୍ରାମକୁ ଯାଇ କ୍ଷେତ୍ର ପରିଦର୍ଶନ କରି ସୀମାନ୍ତ ଅଂଚଳବାସୀଙ୍କ ସମସ୍ତ ଅଭିଯୋଗ ଓ ସମସ୍ୟା ଶୁଣିଲା ପରେ ଛତିଗଡ ପୁଲିସ କାର୍ଯ୍ୟକଳାପକୁ ନିନ୍ଦା କରିଥିଲେ। ଏହାସହ ସେ କହିଥିଲେ ଧାନକୁ ଚାଷୀ ମନୋଜକୁ ହସ୍ତାନ୍ତର କରିବା ପାଇଁ ଉଭୟ ଝାରସୁଗୁଡା ଓ ରାୟଗଡ ଜିଲ୍ଲା ପ୍ରଶାସନ ଏକତ୍ରିତ ହୋଇ ସମାଧାନର ସୂତ୍ର ଖୋଜୁଛନ୍ତି।

ଏହାସହ ଆଗାମୀ ଦିନରେ ଯେମିତି ଛତିଗଡ ପୁଲିସ ଓଡିଶା ସୀମାରେ ପ୍ରବେଶ କରି ଲୋକଙ୍କୁ ହଇରାଣ ନ କରୁ ସେଥିପାଇଁ ଝାରସୁଗୁଡା ଓ ରାୟଗଡ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧିକାରୀ, ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ କରାଯିବ। ଏହାସହ ସୀମାନ୍ତ ଲୋକଙ୍କ ଉପରେ ହେଉଥିବା ଏହି ଅତ୍ୟାଚାର ବିଷୟରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇ ଏହାକୁ ରୋକାଯିବ। ସୀମାନ୍ତ ଲୋକଙ୍କ ସୁରକ୍ଷା ପାଇଁ ଓଡିଶା ଓ ଛତିଶଗଡକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ଓଡିଶା ସୀମା ଶେଷରେ ସୂଚନା ଫଳକ ଲଗାଯିବ ବୋଲି ବ୍ରଜରାଜ ନଗର ବିଧାୟକ କିଶୋର ମହାନ୍ତି କହିଥିଲେ।

ପ୍ରକାଶ ଯୋଗ୍ୟ ଯେ, ଓଡ଼ିଶାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ୧୮୩୫ ଟଙ୍କା ରହିଥିବା ବେଳେ ଗତବର୍ଷଠାରୁ ଛତିଶଗଡ଼ର ସରକାର ଏମ୍ଏସ୍ପି ୨୫ଶହ ଟଙ୍କା କରିଛନ୍ତି। କ୍ୱିଣ୍ଟାଲ ପିଛା ୬୬୫ ଟଙ୍କାର ପାର୍ଥକ୍ୟ ରହିଥିବାରୁ ଅସାଧୁ ବ୍ୟବସାୟୀ ଏବଂ ଦଲାଲ ଓଡ଼ିଶାରୁ ସ୍ୱଳ୍ପ ମୂଲ୍ୟରେ ଧାନ କିଣି ନେଇ ଛତିଶଗଡରେ ବିକ୍ରି କରୁଛନ୍ତି। ହେଲେ ଛତିଶଗଡ଼ ପୁଲିସ ଦଲାଲମାନଙ୍କୁ ନଧରି ବେଆଇନ ଭାବେ ଓଡିଶା ସୀମାକୁ ପ୍ରବେଶ କରି ନିରୀହ ଚାଷୀ ଙ୍କୁ ହଇରାଣ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।