ଲିଙ୍ଗରାଜ ମନ୍ଦିରର ଚତୁପାର୍ଶ୍ୱରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଲିଙ୍ଗରାଜ ମନ୍ଦିରରେ ଚତୁପାର୍ଶ୍ୱରୁ ଚାଲିଥିବା ଉଚ୍ଛେଦ ଜାରି ରହିବ ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି। ଆଜି ଏ ନେଇ ୧୦ ଜଣିଆ ପ୍ରତିନିଧି ଦଳ ଓ କମିଶନରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ତେବେ ମନ୍ଦିରକୁ ଜବରଦଖଲ କରି ରହିଥିବା ଘର ଓ ଦୋକାନକୁ ଉଚ୍ଛେଦ କରାଯାଇ ସେମାନଙ୍କ ଥଇଥାନ ପାଇଁ ପଦକ୍ଷେପ ନିଆଯିବ ବୋଲି ବିଏମସି କମିଶନର କହିଛନ୍ତି।

ସ୍ଥିତିବାନ ସମ୍ପତ୍ତି ଯାହାର ରହିଛି ସେଥିପାଇଁ ଆଇନ ଅନୁସାରେ ବ୍ୟବସ୍ଥା କରାଯିବ। କ୍ଷୁଦ୍ର ବ୍ୟବସାୟୀଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ଥଇଥାନର ବ୍ୟବସ୍ଥା କରାଯିବ। ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ ଚାଲିଛି ବୋଲି ସେ କହିଥିଲେ। କିନ୍ତୁ ଅପରପକ୍ଷେ ଏହାକୁ ଦୃଢ଼ ବିରୋଧ କରାଯିବ ବୋଲି ବ୍ରାହ୍ଣଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି।

ଲିଙ୍ଗରାଜ ମନ୍ଦିର ଚତୁଃପାଶ୍ୱର୍ରେ ଚାଲିଥିବା ଉଚ୍ଛେଦକୁ ସାମୟିକ ଭାବେ ବନ୍ଦ ରଖାଯାଇଥିଲା। ମଙ୍ଗଳବାର ଏନଫୋର୍ସମେଣ୍ଟ ଟିମ୍ ପହଞ୍ଚବା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ବିଧାୟକ ସୁରେଶ କୁମାର ରାଉତରାୟ ନେତୃତ୍ୱରେ ଲିଙ୍ଗରାଜ ମନ୍ଦିର ନିକଟରେ ଉଚ୍ଛେଦର ପ୍ରତିବାଦ କରାଯାଇଥିଲା। ଉଠା ଦୋକାନୀ, କ୍ଷୁଦ୍ର ବ୍ୟବସାୟୀ, ବଡୁ ନିଯୋଗ, ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ସମର୍ଥା ନିଯୋଗ ସମେତ ସେବାୟତ ଓ ବ୍ୟବସାୟୀ ମହାସଂଘ ପକ୍ଷରୁ ଏହି ଉଚ୍ଛେଦକୁ ବିରୋଧ କରାଯିବ ସହିତ ସରକାରଙ୍କ ନିଷ୍ପତ୍ତିକୁ ଭର୍ସନା କରିଥିଲେ।

ବିଜେପି ନେତା ସମୀର ମହାନ୍ତି ମଧ୍ୟ ଘଟଣା ସ୍ଥଳରେ ପହଞ୍ଚ ଉଚ୍ଛେଦର ପ୍ରତିବାଦ କରିଥିଲେ। ସ୍ଥାନୀୟ ଲୋକମାନେ ଲିଙ୍ଗରାଜ ମନ୍ଦିର ଥାନା ଘେରାଉ କରିବା ସହ ରାସ୍ତା ଅବରୋଧ ମଧ୍ୟ କରାଯାଇଥିଲା। ତେବେ ଆଲୋଚନା ପରେ ହିଁ ଆଗକୁ ଉଚ୍ଛେଦ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।