ଚାଷୀ ନେତା ଡ. ସୁଧୀର ପରିଚ୍ଛା ଆଉ ନାହାନ୍ତି

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ଚାଷୀନେତା ସୁଧୀର ପରିଚ୍ଛା ଆଉ ନାହାନ୍ତି। ହାଇଦ୍ରାବାଦରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ଦେହାନ୍ତ ହୋଇଥିବା ଖବର ମିଳିଛି। କିଛି ସମୟ ପୂର୍ବରୁ ଶ୍ରୀ ପରିଚ୍ଛା ଯକୃତ ରୋଗରେ ପୀଡିତ ଥିଲେ। ହାଇଦ୍ରାବାଦକୁ ଚିକିତ୍ସା ପାଇଁ ତାଙ୍କୁ ନିଆଯାଇଥିବା ବେଳେ ତାଙ୍କର ଯକୃତ ପ୍ରତ୍ୟାରୋପଣ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ତାଙ୍କର ପୁତ୍ର ତାଙ୍କୁ ଯକୃତ ଦାନ କରିଥିଲେ। ପ୍ରତ୍ୟାରୋପଣ ପରେ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଥିଲେ।

ଦୁଇ ଦିନ ତଳେ ହଠାତ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିଥିଲା। ତାଙ୍କୁ ପୁଣି ଥରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଆଜି ସନ୍ଧ୍ୟରେ ଦେହାନ୍ତ ହୋଇଛି। ମୃତ୍ୟୁ ସମୟରେ ପରିବାର ବର୍ଗ ଉପସ୍ଥିତ ଥିଲେ। ଶ୍ରୀ ପରିଚ୍ଛା ଜିଲ୍ଲା କଂଗ୍ରେସର ଏକ ଅଭିନ୍ନ ଅଙ୍ଗ ଥିଲେ। ଦଳ ତଥା କୃଷକ ଆନ୍ଦୋଳନ ପାଇଁ ତାଙ୍କର ଢେର ଅବଦାନ ରହିଥିଲା। ତାଙ୍କର ବିୟୋଗ ଖବର ପ୍ରକାଶିତ ହେବା ପରେ କୃଷକ ସମାଜ ତଥା ସହରବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସେ ଜିଲ୍ଲା ତଥା ରାଜ୍ୟ କୃଷକମାନଙ୍କ ବିଭିନ୍ନ ସମସ୍ୟା ପାଇଁ ଅନ୍ଦୋଳନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ।

ତାଙ୍କର ଏହି ବିୟୋଗ କଂଗ୍ରେସ ଦଳ ତଥା କୃଷକ ଆନ୍ଦୋଳନ ପାଇଁ ଅପୂରଣୀୟ କ୍ଷତି। ଏପରି ଦୁଃଖଦ ସମୟରେ ଭଗବାନ ତାଙ୍କ ପରିବାରକୁ ଧର୍ଯ୍ୟ ଓ ସାହାସ ଦିଅନ୍ତୁ ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପ୍ରକାଶ କରିବା ସହ ଗଭୀର ଶୋକବ୍ୟକ୍ତ କରିଛନ୍ତି।