ରାଜ୍ୟପାଳଙ୍କ ବଦଳି ଚାହୁଁଛନ୍ତି ଦିଦି, ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତିଙ୍କୁ ଲେଖିଲେ ଚିଠି

କୋଲକାତା,ଏଜେନ୍ସି: ଥମୁନାହିଁ ପଶ୍ଚିମବଙ୍ଗ ରାଜନୀତିର ତାତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନଖରଙ୍କ ମଧ୍ୟରେ ଚାଲିଥିବା ବିବାଦରେ ପଡୁନାହିଁ ପୂର୍ଣ୍ଣଚ୍ଛେଦ। ବଙ୍ଗରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଆଉ ତୃଣମୂଳ କଂଗ୍ରେସ ନେତାଙ୍କୁ ସିବିଆଇ ବାନ୍ଧିବା ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ଝଡ। ଆଉ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ମଝିରେ ଛିଡା କରିଛି ପାଚେରି।

ପଶ୍ଚିମବଙ୍ଗର ରାଜ୍ୟପାଳଙ୍କୁ ବଦଳାଇବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ବଦଳାଇବାକୁ ଅନୁରୋଧ କରିଛନ୍ତି ମମତା। ରାଜ୍ୟରେ ୨ ମନ୍ତ୍ରୀଙ୍କ ସମେତ ତୃଣମୂଳ କଂଗ୍ରେସର ୪ ନେତାଙ୍କୁ ସିବିଆଇ ଗିରଫ କରିବାର ଗୋଟିଏ ଦିନ ପରେ ଚିଠି ଲେଖି ରାଜ୍ୟପାଳଙ୍କୁ ବଦଳାଇବାକୁ କହିଛନ୍ତି ଦିଦି। ନାରଦା ଷ୍ଟିଙ୍ଗ୍‌ ମାଲାରେ ଟିଏମସିର ୪ ନେତାଙ୍କୁ ସୋମବାର ଗିରଫ କରିଥିଲା ସିବିଆଆଇ। ଏହାପୂର୍ବରୁ ବଙ୍ଗରେ ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ ରାଜ୍ୟପାଳ ଜଗଦୀପ ଧନଖର। ରାଜ୍ୟପାଳଙ୍କ ଏହି ଗସ୍ତ ଉପରେ ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜ୍ୟପାଳ ନିୟମର ଉଲ୍ଲଂଘନ କରୁଥିବା କହିଥିଲେ ଦିଦି।