ସନ୍ଦେହଜନକ ଭାବେ ଜଣଙ୍କର ମୃତ୍ୟୁ, କ୍ଷତିପୂରଣ ଦାବିରେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା

ସଇଁନ୍ତଳା,ବରଗାଁ,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ଡେଙ୍ଗ ପଞ୍ଚାୟତର ଧୂନକେଡ଼ା ଗ୍ରାମର ଜଣଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଭାସ୍କର ଛତ୍ରିଆ। ମିଳିଥିବା ରିପୋର୍ଟ ମୁତାବିକ, ଧୂନକେଡ଼ା ଗ୍ରାମର ପତ୍ରଫଡ଼ି ନିକଟସ୍ଥ ଏକ ପୋଲରେ ଭାସ୍କରଙ୍କୁ ଅଚେତ ଅବସ୍ଥାରେ ତାଙ୍କ ପରିବାର ଲୋକେ ଉଦ୍ଧାର କରିଥିଲେ। ପରେ ତାଙ୍କୁ ସଇଁନ୍ତଳା ଡାକ୍ତରଖାନାକୁ ନିଆଯାଇ ଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭାସ୍କର ତାଲବାହାଲ ପଞ୍ଚାୟତରେ ଏସଇଏମ ଭାବେ କାର୍ୟ୍ୟ ତୁଲାଉଥିଲେ। ତେବେ ଡ୍ୟୁଟି ସମୟରେ ତାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକେ କ୍ଷତିପୂରଣ ଦାବିରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।

ସୂଚନାଯୋଗ୍ୟ, ଭାସ୍କର ଛତ୍ରିଆ ଗତ ମଙ୍ଗଳବାର ଦିନ ସକାଳୁ ୮ଟାରେ ଘରୁ କାର୍ଯ୍ୟସ୍ଥଳୀକୁ ବାହାରି ଯାଇଥିଲେ। ହେଲେ ଦୀର୍ଘ ସମୟ ପରେ ଭାସ୍କର ଘରକୁ ନଫେରିବାରୁ ପରିବାର ଲୋକେ ସନ୍ଦେହ କରି ବହୁ ଖୋଜାଖୋଜି କରିବା ସତ୍ୱେ ପାଇନଥିଲେ। ତେବେ ଏନେଇ ପରିବାର ଲୋକେ ସଇଁନ୍ତଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ପୁଲିସ ମଧ୍ୟ ତଦନ୍ତ ଆରମ୍ଭ କରିଥିଲା। ହେଲେ ଗତକାଲି ଧୂନକେଡ଼ା ପତ୍ରଫଡ଼ି ପୋଲରୁ ଭାସ୍କରଙ୍କ ମୃତଦେହ ପରିବାର ଲୋକେ ଚିହ୍ନଟ କରି ପୁଲିସକୁ ଖବର ଦେଇଥିଲେ। ଅନ୍ୟପଟେ କାର୍ୟ୍ୟ ସମୟରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ପରିବାର ଲୋକେ ଧାରଣା ଦେଇଥିଲେ। ପରିବାରରେ ୭ଜଣ ରହିଥିବାବେଳେ ସମସ୍ତଙ୍କ ଦାୟିତ୍ୱ ଭାସ୍କର ତୁଲାଉଥିଲେ। ସେଥିପାଇଁ ଭାସ୍କରଙ୍କ ପୁଅ ଚନ୍ଦ୍ରଧ୍ଵଜ ଛତ୍ରିଆଙ୍କୁ ନିଯୁକ୍ତି ପ୍ରଦାନ କରାଯାଉ ଓ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି। ତେବେ ଘଟଣାସ୍ଥଳରେ ବିଡିଓ ଦେବାଶିଷ ସାମଲ ଓ ତହସିଲଦାର ସୁମନ କିଶୋର ଡୁଙ୍ଗ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ। ଭାସ୍କରଙ୍କ ସ୍ତ୍ରୀଙ୍କୁ ଭତ୍ତା ପ୍ରଦାନ କରିବା ସହ ରେଡକ୍ରସ ତରଫରୁ ମଧ୍ୟ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣାରୁ ଉଠିଥିଲେ । ଅନ୍ୟପଟେ ଡେଙ୍ଗ ସରପଞ୍ଚ ଓ ଇଓ ଅକ୍ଷୟ ମହାନ୍ତି ହରିଶଚନ୍ଦ୍ର ଯୋଜନାରୁ ପରିବାର ଲୋକଙ୍କୁ ୨ହଜାର ଟଙ୍କା ତୁରନ୍ତ ପ୍ରଦାନ କରିଥିଲେ।