ପୁଅ ଉପରେ କ୍ଷୁବ୍ଧ ହୋଇ କୁକୁର ନାଁରେ ସମ୍ପତ୍ତି କରିଦେଲେ କୃଷକ

ନୂଆଦିଲ୍ଲୀ,ଏଜେନ୍ସି: ଦିନକୁ ଦିନ ପାରିବାରିକ ସମ୍ପର୍କ ନଷ୍ଟ ହେବାରେ ଲାଗିଛି। ବିଶେଷକରି ସମ୍ପତ୍ତିକୁ କେନ୍ଦ୍ର କରି ପରିବାରରେ ଅଶାନ୍ତି ସୃଷ୍ଟି ହେଉଛନ୍ତି। ଏପରିକି ବାପ-ପୁଅଙ୍କ ମଧ୍ୟରେ ସମ୍ପତ୍ତି କାରଣରୁ ତିକ୍ତତା ଏଭଳି ସ୍ତରକୁ ଯାଉଛି ଯେ ପୁଅ ପ୍ରକୃତ ଉତ୍ତରାଧିକାରୀ ହେବା ସତ୍ୱେ ବାପା ନିଜର ସମ୍ପତ୍ତି ପୁଅକୁ ନଦେଇ ନିଜର ପୋଷା କୁକୁର ନାଁରେ ୱିଲ୍ କରିଦେଉଥିବା ଦେଖାଯାଇଛି। ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ଛିନ୍ଦ୍ ୱାରା ଜିଲ୍ଲା ଅନ୍ତର୍ଗତ ବାରିବଡ଼ା ଗାଁର ଜଣେ କୃଷକ ଓମନାରାୟଣ ବର୍ମା (୫୦) ପୁଅ ଉପରେ କ୍ଷୁବ୍ଧ ହୋଇ ତାଙ୍କର ପୋଷାକୁକୁର ଜ୍ୟାକି ନାଁରେ ୨ ଏକର ଜମି ୱିଲ୍ କରିଦେଇଛନ୍ତି। ଓମ୍ ନାରାୟଣ ତାଙ୍କର ଅବଶିଷ୍ଟ ଭୂସମ୍ପତ୍ତିକୁ ତାଙ୍କ ପତ୍ନୀ ଚମ୍ପା (୪୭)ଙ୍କ ନାମରେ ୱିଲ୍ କରିଛନ୍ତି। ସେ ୱିଲ୍ କରିଥିବା ସତ୍ୟପାଠରେ ତାଙ୍କର ପୋଷାକୁକୁର ଜ୍ୟାକି ପୁଅଠାରୁ ଅଧିକ ଅନୁଗତ ବୋଲି ଉଲ୍ଲେଖ କରିଛନ୍ତି। ୱିଲରେ ସେ ଉଲ୍ଲେଖ କରିଛନ୍ତି, ମୋର ପତ୍ନୀ ଚମ୍ପା ଓ ପୋଷାକୁକୁର ଜ୍ୟାକି ମୋର ସେବା କରୁଛନ୍ତି। ମୁଁ ଏବେ ସୁସ୍ଥ ଅଛି। ଏହି ଦୁହେଁ ମୋର ଅତି ପ୍ରିୟ। ମୋ ଅନ୍ତେ ଜ୍ୟାକି ଯେପରି ବୁଲା କୁକୁର ପାଲଟିନଯିବ ସେଥିପାଇଁ ମୁଁ ତା ନାମରେ ସମ୍ପତ୍ତି ୱିଲ୍ କରିଛି ବୋଲି ଉଲ୍ଲେଖ କରିଛନ୍ତି ଓମନାରାୟଣ। ଉଲ୍ଳେଖଯୋଗ୍ୟ ୧୧ ମାସର ଜ୍ୟାକି ଏକ ବୁଲାକୁକୁର। ମୋ ମୃତ୍ୟୁ ପରେ ଯିଏ ଜ୍ୟାକିକୁ ଖାଇବାକୁ ଦେବ ସେ ଏହି ସମ୍ପତ୍ତି ଭୋଗକରିବ। ଇତି ମଧ୍ୟରେ ସ୍ଥାନୀୟ ସରପଞ୍ଚ ଓମ୍ ନାରାୟଣଙ୍କୁ ପ୍ରବର୍ତ୍ତାଇବାରୁ ସେ ମନ ପରିବର୍ତ୍ତନ କରି କହିଛନ୍ତି, ମୁଁ କ୍ଷୁବ୍ଧ ହୋଇ ଏଭଳି କରିଛି। ଏବେ ୱିଲକୁ ବାତିଲ କରିବାକୁ ଚିନ୍ତା କରୁଛି ବୋଲି ସେ କହିଛନ୍ତି।